କୋଲକାତା,:ଯୌତୁକ ଏକ କୁପ୍ରଥା। ଯୌତୁକ ଜୁଇରେ ଅନେକ ନବବଧୂଙ୍କ ଜୀବନ ଯାଉଛି। ଅନେକ ମହିଳା ନିର୍ଯାତନାର ମଧ୍ୟ ଶିକାର ହେଉଛନ୍ତି। ତେଣୁ ଏହାକୁ ବନ୍ଦ କରିବା ପାଇଁ ଆଇନ ଅଣାଯାଇଥିଲା। ଭାରତୀୟ ପିଙ୍ଗଳ କୋଡ (ଆଇପିସି)ରେ ଧାରା ୪୯୮ଏ ସାମିଲ କରାଯାଇଥିଲା। କିନ୍ତୁ ଏହି ଆଇନର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏହାର ଅପବ୍ୟବହାର ଆଇନଗତ ଆତଙ୍କବାଦକୁ ବୃଦ୍ଧି କରାଉଛି ବୋଲି କଲକତା ହାଇକୋର୍ଟ କହିଛନ୍ତି। ଶ୍ବଶୁର ଘର ବିରୋଧରେ ଜଣେ ମହିଳା କରିଥିବା ଆବେଦନକୁ ଜଷ୍ଟିସ ଶୁଭେନ୍ଦୁ ସାମନ୍ତ ଖାରଜ କରିଦେଇଛନ୍ତି। ସେ ଆଇନର ଅପବ୍ୟବହାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ମହିଳାଙ୍କ ମଙ୍ଗଳ ପାଇଁ ଏହି ଆଇନ ଅଣାଯାଇଥିଲା। କିନ୍ତୁ ଏବେ ଯୌତୁକ ଜନିତ ମିଥ୍ୟା ମାମଲା ବଢ଼ିବାରେ ଲାଗିଛି ବୋଲି କହିଛନ୍ତି। ଆବେଦନକାରୀ ମହିଳା ଶ୍ବଶୁର ଘର ବିରୋଧରେ ଶାରିରୀକ ଏବଂ ମାନସିକ ଉତ୍ପୀଡ଼ନ ମାମଲା ଲଗାଇ ଥିଲେ। ଅଭିଯୋଗ ସାଧାରଣ ଲାଗୁଛି ବୋଲି କୋର୍ଟ କହିଥିଲେ।
ସାକ୍ଷୀଙ୍କ ବୟାନରୁ ମଧ୍ୟ କୌଣସି ତଥ୍ୟ ପ୍ରଘଟ ହୋଇ ନ ଥିଲା। ସ୍ବାମୀଙ୍କୁ ଫସାଇବା ପାଇଁ ମିଥ୍ୟା ଅଭିଯୋଗ ଲଗା ଯାଇଥିବା ପ୍ରତୀତ ହେଉଥିଲା। କେସ୍ ଡାଏରୀର ମେଡିକାଲ ପ୍ରେସ୍କ୍ରିପ୍ସନରେ ମଧ୍ୟ ମହିଳାଙ୍କ ଶରୀରରେ କୌଣସି କ୍ଷତ ନ ଥିବା କୁହାଯାଇଥିଲା। କୋର୍ଟ କହିଥିଲେ ଯେ ପଡ଼ୋଶୀ ପତି-ପତ୍ନୀ କେବଳ ତାଙ୍କ ଝଗଡ଼ା ଶୁଣିଥିଲେ। ଝଗଡ଼ାର ଅର୍ଥ କିଏ ଆକ୍ରମଣକାରୀ ଏବଂ ପୀଡ଼ିତ ତାହା ଜାଣିବା ନୁହେଁ। ବ୍ୟକ୍ତିଗତ ଶତ୍ରୁତା ପାଇଁ ଯୌତୁକ ମାମଲା ଲଗାଯାଇଛି। ତେଣୁ କୋର୍ଟ ଆବେଦନ ଖାରଜ କରିଦେଇଛନ୍ତି। କେସ୍ ଜାରି ରହିଲେ କୋର୍ଟଙ୍କ ସମୟ ବର୍ବାଦ ହେବ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ମହିଳା ୨୦୧୭ ଅକ୍ଟୋବରରେ ସ୍ବାମୀଙ୍କ ବିରୋଧରେ ଉତ୍ପୀଡ଼ନ ମାମଲା ଲଗାଇ ଥିଲେ। ପରେ ପୁଲିସ କିଛି ପଡ଼ୋଶୀ ଏବଂ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲା। କିନ୍ତୁ କୋର୍ଟ ଏହାକୁ ପର୍ଯ୍ୟାପ୍ତ ପ୍ରମାଣ ବୋଲି ଧରି ନ ଥିଲେ। ମହିଳା ୨୦୧୭ ଡିସେମ୍ବରରେ ପୁଣି ଏକ ମାମଲା ରୁଜୁ କରିଥିଲେ। ସେ ଏହି ଥର ସ୍ବାମୀଙ୍କ ପରିବାର ଲୋକଙ୍କ ବିରୋଧରେ ନିର୍ଯାତନା ମାମଲା ରୁଜୁ କରିଥିଲେ।