ହାୱାଇ: ଆମେରିକା ହାୱାଇ ରାଜ୍ୟର ମଉଇ ଦ୍ବୀପରେ ଲାଗିଥିବା ନିଆଁ ଦିନକୁ ଦିନ ବିକଟାଳ ରୂପ ନେବାରେ ଲାଗିଛି। ନିଆଁର ଆଁରେ ଯାହା ଆସୁଛି ତାହା ଜଳିପୋଡ଼ି ଛାରଖାର ହୋଇଯାଉଛି। ନିଆଁ ଯୋଗୁଁ ନହାନିଆ ସହର ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ଅଗ୍ନିକାଣ୍ଡ ଜନିତ ମୃତ୍ୟୁସଂଖ୍ୟା ୮୮କୁ ବୃଦ୍ଧି ପାଇଛି। ଏବେ ବି ଶହ ଶହ ଲୋକ ନିଖୋଜ ଅଛନ୍ତି। ୨୨୦୭ କୋଠା ଜଳି ଯାଇଛି। ୧୪୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ ସାମିଲରହିଛନ୍ତି। ଜଙ୍ଗଲରେ ଅଧିକ ଲୋକ ଫସିଥିବାର ଆଶଙ୍କା କରି ତଲାସୀ ଅଭିଯାନ ଜାରି ରହିଛି।
ହଜାର ହଜାର ଲୋକ ବାସ ହରାଇଛନ୍ତି। ଜଙ୍ଗଲ ନିଆଁ ଏତେ ଦ୍ରୁତଗତିରେ କେମିତି ବ୍ୟାପିଲା ତାହା ଜାଣିବାକୁ ତଦନ୍ତ ଆରମ୍ଭ କରାଯାଇଛି। ଏହି ଅଗ୍ନିକାଣ୍ଡରେ ଭାରତରୁ ପଠା ଯାଇଥିବା ୧୫୦ ବର୍ଷର ପୁରୁଣା ବରଗଛ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ଏହା ରାଜ୍ୟ ଇତିହାସର ସବୁଠାରୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ। ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ଶହେରୁ ଅଧିକ ଲୋକ ସମୁଦ୍ର ମଧ୍ୟକୁ ଡେଉଁଛନ୍ତି। ସେମାନଙ୍କୁ ହେଲିକପ୍ଟର ମାଧ୍ୟମରେ ବାହାର କରାଯାଇଛି।ହାୱାଇ ଦ୍ବୀପ ପାଇଁ ରେଡ୍ ଫ୍ଲାଗ୍ ୱାର୍ଣ୍ଣି ଜାରି କରାଯାଇଛି। ଶୁକ୍ରବାର ରାତିରୁ ପୁଣି ନିଆଁ ବ୍ୟାପିବାରେ ଲାଗିଛି।