ଗୁଆହାଟୀ: ଆମ ଭିତରୁ ଅନେକେ ଗୁପଚୁପ୍ ବା ପୁଚକା ଖାଇବାକୁ ଭଲ ପାଆନ୍ତି । ଅନେକ ଯୁବତୀ ଓ ମହିଳାମାନେ ତ ଏହା ନ ଖାଇ ଦୁଇ ଦିନ ବି ରହିପାରନ୍ତି ନାହିଁ। ଅନେକ ଗୁପଚୁପ୍ ପ୍ରେମୀଙ୍କର ନିଜ ପସନ୍ଦର ଗୁପଚୁପ୍ ବିକାଳି ଥାଆନ୍ତି । ଏହାର କାରଣ ସେମାନଙ୍କ ଗୁପଚୁପ୍ ସ୍ୱାଦିଷ୍ଟ ହୋଇଥାଏ ଓ ସେମାନେ ସଫାସୁତୁରା ପ୍ରତି ଅଧିକ ଧ୍ୟାନ ଦିଅନ୍ତି ବୋଲି ମହିଳାମାନେ କହନ୍ତି । ବାସ୍ତବରେ ଗୁପଚୁପ୍ ପ୍ରସ୍ତୁତ କରିବା ଓ ପରସିବାରେ ସ୍ୱାସ୍ଥ୍ୟକର ପରିବେଶ ନ ରହିଲେ ତାହା ଖାଉଥିବା ଲୋକଙ୍କ ଦେହ ଖରାପ ହେବାର ବହୁତ ସମ୍ଭାବନା ଥାଏ । ଏହାରି ଭିତରେ ଏବେ ଏମିତି ଏକ ଖବର ଆସିଛି ଯେ ତାହା ଅନେକ ଗୁପଚୁପ୍ ପ୍ରେମୀଙ୍କୁ ଆଶ୍ଚର୍ୟ୍ୟ କରିବ ନିଶ୍ଚିତ।
ଜଣେ ଗୁପଚୁପ୍ ବିକାଳିଙ୍କୁ ଦୋକାନରେ ପାଣିରେ ପାଣିରେ ନିଜ ପରିସ୍ରା ମିଶାଉଥିବା ଅଭିଯୋଗରେ ଗିରଫ କରାଯାଇଛି । ସେ ଏହା କରୁଥିବାର ଏକ ଭିଡିଓ କ୍ଲିପ୍ ବି ଭାଇରାଲ୍ ହୋଇଛି । ଏହି ଘଟଣା ଘଟିଛି ଆସାମର ରାଜଧାନୀ ଗୁଆହାଟିର ଆଠଗାଁଓ ଅଞ୍ଚଳରେ । ପ୍ରାୟ ସପ୍ତାହେ ତଳେ ସୋସିଆଲ୍ ମିଡି଼ଆରେ ଏହି ଭିଡିଓ ଅପଲୋଡ୍ ହୋଇଥିଲା ଓ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିଥିଲା । ଏବେ ପୁଲିସ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସେହି ଗୁପଚୁପ୍ ବିକାଳିଙ୍କୁ ଗିରଫ କରିଛି । ଗୁପ୍ଚୁପ୍ ବିକାଳୀ ଜଣଙ୍କ ନିଜ ମଗରେ ପରିସ୍ରା କରୁଥିବା ନଜର ଆସିଛି। ଏହାପରେ ସେହି ପରିସ୍ରାକୁ ପାଣିରେ ମିସାଉଥିବା ମଧ୍ୟ ନଜର ଆସିଛି। ମଗରେ ୟୁରିନ କରିବା ପରେ ଗୁପଚୁପ ବିକାଳୀ ସେହି ମଗକୁ ବ୍ୟବହାର କରିବା ପାଇଁ ରଖିଥିବା ମଧ୍ୟ ଭିଡିଓରେ ନଜର ଆସିଛି।
ଭିଡିଓ ଭାଇରାଲ ହେବାପରେ ଲୋକେ ଏହାକୁ ଦେଖି ରାଗି ଯାଇଥିଲେ ଏବଂ ତୁରନ୍ତ ଗୁପଚୁପ ବିକାଳୀକୁ ଗିରଫ କରିବାକୁ ଦାବି କରିଥିଲେ। ଭିଡିଓ ଭାଇରାଲ ହେବାପରେ ପୁଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିକାଳୀକୁ ଗିରଫ କରିଛି। ସେ ସ୍ୱୀକାର କରିଛି ଯେ ଭିଡିଓଟି ତାର। ପୁଲିସ ତାକୁ ପଚରାଉଚୁରା କରୁଛି। ଗୁପଚୁପ୍ ବିକାଳିଙ୍କ ପରିଚୟ ଓ ସେ ଏମିତି କାହିଁକି କରୁଥିଲେ ଓ କେବେଠୁ କରୁଥିଲା ତାହା ବି ଏ ପର୍ଯ୍ୟନ୍ତ ସାମନାକୁ ଆସିନାହିଁ ।