ନୂଆଦିଲ୍ଲୀ : ବିହାରରେ ଭାଙ୍ଗିଛି ବିଜେପି-ଜେଡିୟୁ ମେଣ୍ଟ ସରକାର। ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫର ଦେବା ସହ ପୁଣିଥରେ ନୀତିଶ କୁମାର ବିହାରରେ ମହାଗଠବନ୍ଧନ ସରକାର ଚଳାଇବେ। ସେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ ଏହି ମହାମେଣ୍ଟରେ ୭ଟି ରାଜନୀତିକ ଦଳ ସାମିଲ ହେବେ। ଏଥିସହ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ନୀତୀଶ କୁମାରଙ୍କୁ ସମର୍ଥନ କରିବେ। ମହାଗଠବନ୍ଧନରେ ଆରଜେଡି ସହ କଂଗ୍ରେସ ଓ ବାମଦଳ ରହିଛନ୍ତି। ଆସନ୍ତାକାଲି ନୀତିଶ ବିହାରରେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ତେଜସ୍ୱୀ ଯାଦବ ତାଙ୍କ ଡେପୁଟି ଭାବେ ପଦ ଓ ଗୋପନୀୟତାର ଶପଥ ନେବେ। ସେହିପରି କଂଗ୍ରେସ ଖାତାକୁ ୩ଟି ମନ୍ତ୍ରୀ ପଦ ଯିବ। ବାଚସ୍ପତି କଂଗ୍ରେସରୁ ହୋଇ ପାରନ୍ତି। ଯଦି କଂଗ୍ରେସକୁ ବାଚସ୍ପତି ପଦ ନ ମିଳିବ, ତା’ହେଲେ ନୀତୀଶ ସରକାରରେ ଦଳର ୪ ଜଣ ସଦସ୍ୟ ମନ୍ତ୍ରୀ ଭାବେ କାମ କରିବେ ବୋଲି ଜଣାପଡ଼ିଛି।
ବିହାରରେ ବିଜେପିର ଏପରି ଅବସ୍ଥା ପରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି ନୀତିଶଙ୍କ ନିଷ୍ପତ୍ତି ଏକ ଗୁଡ୍ ଷ୍ଟାଟ୍ । ଖୁବ୍ଶୀଘ୍ର ଅନ୍ୟ ଦଳମାନେ ମଧ୍ୟ ବିଜେପି ବିରୋଧରେ ଛିଡ଼ା ହେବେ ବୋଲି ଅଖିଳେଶ କହିଛନ୍ତି। ନୀତୀଶଙ୍କ ବିଜେପି ଛାଡ଼ ନିଷ୍ପତ୍ତିକୁ ଅଖିଳେଶ ଭାରତ ଛାଡ଼ ଅଭିଯାନ ସହ ତୁଳନା କରିଛନ୍ତି। ୧୯୪୨ ମସିହା ଅଗଷ୍ଟ ୮ ତାରିଖରେ ଯେପରି ଭାରତ ଛାଡ଼ ଆନ୍ଦୋଳନ ହୋଇଥିଲା। ଠିକ୍ ସେହିପରି ସମାନ ସ୍ଲୋଗାନ ବିହାରରୁ ବିଜେପି ବିରୋଧରେ ଶୁଣିବାକୁ ମିଳୁଛି ବୋଲି ଅଖିଳେଶ କହିଛନ୍ତି।
ଅଖିଳେଶ କହିଛନ୍ତି “ଏହା ଏକ ଭଲ ଆରମ୍ଭ। ଏହି ଦିନରେ ‘ଇଂରେଜ ଭାରତ ଛାଡ଼’ ନାରା ଦିଆଯାଇଥିଲା। ହେଲେ ଆଜି ବିହାରରୁ ବିଜେପି ଭଗାଓ ନାରା ଶୁଣିବାକୁ ମିଳୁଛି। ମୁଁ ଭାବୁଛି ଖୁବ୍ଶୀଘ୍ର ରାଜନୈତିକ ଦଳ ଓ ବିଭିନ୍ନ ରାଜ୍ୟର ଲୋକମାନେ ବିଜେପି ବିରୋଧରେ ଛିଡ଼ା ହେବେ।