ଗାଜିଆବାଦ ବ୍ୟାଙ୍କ ମ୍ୟାନେଜର ହତ୍ୟାକାଣ୍ଡ: ମହିଳା ଷ୍ଟାଫଙ୍କ ସାମ୍ନାରେ ଗାଳି କରିବାରୁ ଜୀବନ ନେଲା ସୁରକ୍ଷାକର୍ମୀ

ଗାଜିଆବାଦର ଲୋନି ଅଞ୍ଚଳରେ ଥିବା ଏକ ବ୍ୟାଙ୍କରେ ସୋମବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ଛୁଟି ମାଗିବା ଏବଂ ମହିଳା କର୍ମଚାରୀଙ୍କ ସମ୍ମୁଖରେ ଅପମାନିତ ହେବା କାରଣରୁ ଜଣେ ସୁରକ୍ଷାକର୍ମୀ ନିଜ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରିଛି। ମୃତକଙ୍କ ନାମ ଅଭିଷେକ ଶର୍ମା (୩୭) ହୋଇଥିବା ବେଳେ ସେ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କର ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ। ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁରକ୍ଷାକର୍ମୀ ରବୀନ୍ଦ୍ର ହୁଡ୍ଡା ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି।

ଛୁଟି ଏବଂ ଦରମା କାଟ୍ କୁ ନେଇ ଥିଲା ବିବାଦ

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ରବୀନ୍ଦ୍ର ହୁଡ୍ଡା ଅନେକ ସମୟରେ ବିନା ସୂଚନାରେ ଛୁଟି ନେଉଥିଲା। ଘଟଣା ଦିନ ମଧ୍ୟ ସେ ଡ୍ୟୁଟିକୁ ଆସିନଥିଲା। ଏହି କାରଣରୁ ମ୍ୟାନେଜର ଅଭିଷେକ ତାଙ୍କୁ ଡାକି ବ୍ୟାଙ୍କର ମହିଳା କର୍ମଚାରୀମାନଙ୍କ ସାମ୍ନାରେ କଡ଼ା ଭାଷାରେ ଗାଳିଗୁଲଜ କରିଥିଲେ। ଅଭିଯୁକ୍ତର କହିବା ଅନୁଯାୟୀ, ମ୍ୟାନେଜର ତାଙ୍କୁ ଛୁଟି ନେବା କାରଣରୁ ମାସିକ ୧୨,୦୦୦ ଟଙ୍କା ଦରମାରୁ ୨,୦୦୦ ରୁ ୪,୦୦୦ ଟଙ୍କା କାଟି ଦେଉଥିଲେ। ମହିଳା ଷ୍ଟାଫଙ୍କ ସାମ୍ନାରେ ଅପମାନିତ ହେବା ପରେ ସେ ରାଗିଯାଇ ନିଜର ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଅଭିଷେକଙ୍କ ଛାତିକୁ ଗୁଳି ଚଳାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହତ୍ୟା ପରେ ମଦ ପିଉଥିଲା ଅଭିଯୁକ୍ତ

ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଗାର୍ଡ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ପୋଲିସ ତତ୍ପରତା ଦେଖାଇ ଘଟଣାର କିଛି ଘଣ୍ଟା ପରେ ଲୋନି ବର୍ଡର ନିକଟସ୍ଥ ଏକ ମଦ ଦୋକାନ ବାହାରୁ ତାକୁ ଗିରଫ କରିଥିଲା ଏବଂ ଗିରଫ ସମୟରେ ସେ ମଦ୍ୟପାନ କରୁଥିବା ଜଣାପଡ଼ିଛି। ପୋଲିସ ଅଭିଯୁକ୍ତ ନିକଟରୁ ହତ୍ୟାରେ ବ୍ୟବହୃତ ୧୨-ବୋର୍ ଡବଲ ବ୍ୟାରେଲ ବନ୍ଧୁକ ଏବଂ ଏକ ବାଇକ୍ ଜବତ କରିଛି। ଏହି ଘଟଣାରେ ତାକୁ ସାହାଯ୍ୟ କରିଥିବା ତାର ଅନ୍ୟ ଜଣେ ସହଯୋଗୀ ଶିଶପାଲକୁ ମଧ୍ୟ ପୋଲିସ ଗିରଫ କରିଛି। ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ଗାର୍ଡ ହେଉଛି ଜଣେ ପୂର୍ବତନ ସେନା କର୍ମଚାରୀ ଯିଏ ୨୦୧୮ ମସିହାରେ ଅବସର ନେଇଥିଲା। ଏହି ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

About The Author: Suryakanta