ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍ ଗୌତମ ଗମ୍ଭୀର ସକ୍ରିୟ ରାଜନୀତିରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ କ୍ରିକେଟର୍ ତାଙ୍କ ସୋସିଆଲ୍ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି।
ସେ ତାଙ୍କ ଏକ୍ସ ପୋଷ୍ଟ୍ରେ ଲେଖିଛନ୍ତି, ‘‘ମୁଁ ମାନ୍ୟବର ପାର୍ଟି ସଭାପତି ଜେପି ନଡ୍ଡାଙ୍କୁ ମୋତେ ସମସ୍ତ ରାଜନୈତିକ ଦାୟିତ୍ବରୁ ମୁକ୍ତି କରିବାକୁ ନିବେଦନ କରୁଛନ୍ତି। ଯାହାଦ୍ବାରା ମୁଁ ମୋର ଆଗାମୀ କ୍ରିକେଟ୍ ପ୍ରତିଶ୍ରୁତି ଉପରେ ଧ୍ୟାନ ଦେଇ ପାରିବି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋତେ କାମ କରିବାର ସୁଯୋଗ ଦେଇଥିବାରୁ ମୁଁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଜୟ ହିନ୍ଦ।’’
ଖବର ଅନୁଯାୟୀ, ଗମ୍ଭୀର ୨୦୧୯ ମସିହା ମାର୍ଚ୍ଚ ମାସରେ ବିଜେପିରେ ଯୋଗ ଦେଇଥିଲେ। ସେବେଠାରୁ ଦିଲ୍ଲୀରେ ଦଳର ପ୍ରମୁଖ ଚେହେରା ହୋଇପାରିଛନ୍ତି। ସେ ୨୦୧୯ ଲୋକସଭା ନିର୍ବାଚନରେ ୬,୯୫,୧୦୯ ଭୋଟ ବ୍ୟବଧାନରେ ପୂର୍ବ ଦିଲ୍ଲୀ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ।