ପ୍ରତିଶୋଧ ନିଆଁରେ ଜଳୁଛି ଫ୍ରାନ୍ସ; ୫ ଦିନ ହେଲା ଦେଶରେ ଜାରି ରହିଛି ହିଂସା, ସାରାଦେଶରେ ପୋଡ଼ାଜଳା

ପ୍ୟାରିସ୍‌(ଏଜେନ୍ସି): ଫ୍ରାନ୍ସ ପ୍ରତିଶୋଧର ନିଆଁରେ ଜଳୁଛି। ୧୭ ବର୍ଷିୟ ନାହେଲ ଏମଙ୍କୁ ଟ୍ରାଫିକ ପୁଲିସ ଗୁଳିମାରି ହତ୍ୟା କରିବା ପରଠାରୁ ଦେଶରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ୫ ଦିନ ହେଲା ଦେଶରେ ହିଂସା ଜାରି ରହିଛି। ଏହି ବିକ୍ଷୋଭ ପ୍ରଦର୍ଶନ ପ୍ରାୟ ସବୁ ସହରକୁ ବ୍ୟାପି ଯାଇଛି। ପ୍ୟାରିସଠାରୁ ମାର୍ସିଲେ ଏବଂ ଲ୍ୟୋନ ପର୍ଯ୍ୟନ୍ତ ହିଂସା ବ୍ୟାପିଯାଇଛି। ପ୍ରଦର୍ଶନକାରୀ ଅନେକ ଗାଡ଼ି ଏବଂ କୋଠାରେ ନିଆଁ ଲଗାଇ ଦେଇଛନ୍ତି। ଅସ୍ତ୍ରଶସ୍ତ୍ର ଦୋକାନରୁ ଲୁଟ୍‌ କରି ନେଇଛନ୍ତି। […]

ପ୍ୟାରିସ୍‌(ଏଜେନ୍ସି): ଫ୍ରାନ୍ସ ପ୍ରତିଶୋଧର ନିଆଁରେ ଜଳୁଛି। ୧୭ ବର୍ଷିୟ ନାହେଲ ଏମଙ୍କୁ ଟ୍ରାଫିକ ପୁଲିସ ଗୁଳିମାରି ହତ୍ୟା କରିବା ପରଠାରୁ ଦେଶରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ୫ ଦିନ ହେଲା ଦେଶରେ ହିଂସା ଜାରି ରହିଛି। ଏହି ବିକ୍ଷୋଭ ପ୍ରଦର୍ଶନ ପ୍ରାୟ ସବୁ ସହରକୁ ବ୍ୟାପି ଯାଇଛି। ପ୍ୟାରିସଠାରୁ ମାର୍ସିଲେ ଏବଂ ଲ୍ୟୋନ ପର୍ଯ୍ୟନ୍ତ ହିଂସା ବ୍ୟାପିଯାଇଛି। ପ୍ରଦର୍ଶନକାରୀ ଅନେକ ଗାଡ଼ି ଏବଂ କୋଠାରେ ନିଆଁ ଲଗାଇ ଦେଇଛନ୍ତି। ଅସ୍ତ୍ରଶସ୍ତ୍ର ଦୋକାନରୁ ଲୁଟ୍‌ କରି ନେଇଛନ୍ତି। ସ୍ଥିତି ଏପରି ହୋଇଛି ସେ ରାସ୍ତାରେ ସାମରିକ ଗାଡ଼ି ମୁତୟନ କରାଯାଇଛି। ୪୫ ହଜାର ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ରାତ୍ରିକାଳୀନ ବସ୍‌ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଖୁବ୍‌ଶୀଘ୍ର ଜରୁରିକାଳୀନ ସ୍ଥିତି ଘୋଷଣା କରାଯାଇପାରେ ବୋଲି କୁହାଯାଉଛି। ବିଭିନ୍ନ ସ୍ଥାନରେ ଯୁବ ପ୍ରଦର୍ଶନକାରୀ ପୁଲିସ ସହ ମୁହାମୁହିଁ ହେଉଛନ୍ତି। ପୁଲିସ ଉପରକୁ ବୋମା ମାଡ଼ କରୁଛନ୍ତି। ଏହି ସବୁ ଘଟଣାରେ ୨୦୦ରୁ ଅଧିକ ପୁଲିସ ଏବଂ ଦମକଳ କର୍ମଚାରୀ ଆହତ ହୋଇଛନ୍ତି। ପ୍ରଦର୍ଶନକାରୀ ବିଭିନ୍ନ ସହର ପ୍ରାୟ ୨୫୬୦ ଦୋକାନ ଜାଳି ଦେଇଛନ୍ତି। ୨ ହଜାରରୁ ଅଧିକ ଗାଡ଼ି ପୋଡ଼ି ଦେଲେଣି। ମଙ୍ଗଳବାର ରାତିରୁ ଏ ପର୍ଯ୍ୟନ୍ତ ସାରା ଦେଶରୁ ୨,୪୦୦ ଦଙ୍ଗାକାରୀଙ୍କୁ ଗିରଫ କରାଗଲାଣି। କେବଳ ଶୁକ୍ରବାର ୧୪୦୦ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଅଧିକାଂଶ ନାବାଳକ ସାମିଲ ଅଛନ୍ତି। ଦଙ୍ଗାକାରୀଙ୍କ ମଧ୍ୟରେ ଆରବ ଏବଂ ଆଫ୍ରିକାର ଅଧିକାଂଶ ନାଗରିକ ସାମିଲ ଅଛନ୍ତି। ଏମାନେ ଶରଣାର୍ଥୀ ଭାବେ ଫ୍ରାନ୍ସକୁ ଆସିଥିଲେ। ଏବେ ଏମାନେ ଫ୍ରାନ୍ସ ନାଗରିକ ହୋଇଗଲେଣି।

ଦେଶ ଜଳୁଥିବା ବେଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏକ ‘ପାର୍ଟି’ରେ ସାମିଲ ହୋଇଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ଲୋକେ ତୀବ୍ର ସମାଲୋଚନା କରୁଛନ୍ତି। ରାଷ୍ଟ୍ରପତିଙ୍କୁ ଦାୟିତ୍ବ ହୀନ କୁହାଯାଉଛି। ସୂଚନା ଅନୁଯାୟୀ ବୁଧବାର ପ୍ୟାରିସରେ ବ୍ରିଟିଶ ଗୀତିକାର ଏଲ୍‌ଟନ ଜନ୍‌ଙ୍କ କାର୍ଯ୍ୟକ୍ରମ ଚାଲିଥିଲା। ଏଥିରେ ରାଷ୍ଟ୍ରପତି ନିଜ ସ୍ତ୍ରୀଙ୍କ ସହ ସାମିଲ ହୋଇଥିଲେ। ଏହା ମଧ୍ୟରେ ଫ୍ରାନ୍ସ ହିଂସା ବେଲ୍‌ଜିୟମରେ ପହଞ୍ଚି ଯାଇଛି। ହିଂସା କରିବା ଅଭିଯୋଗରେ ଶହେରୁ ଊର୍ଦ୍ଧ୍ବ ଲୋକଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଆଜି ନାହେଲଙ୍କ ଅନ୍ତିମ ସଂସ୍କାର ହେବ ବୋଲି ତାଙ୍କ ମାଆ କହିଛନ୍ତି। ନିଜ ଶିଶୁଙ୍କୁ ରାସ୍ତାରୁ ଦୂରେଇ ରଖିବାକୁ ଫ୍ରାନ୍ସ ରାଷ୍ଟ୍ରପତି ଅଭିଭାବକଙ୍କୁ ନିବେଦନ କରିଛନ୍ତି। ସେ ହିଂସା ପାଇଁ ସାମାଜିକ ଗଣମାଧ୍ୟମକୁ ଦାୟୀ କରିଛନ୍ତି। ସ୍ଥିତିକୁ ଦେଖି ରାଷ୍ଟ୍ରପତି ନିଜ ଜର୍ମାନୀ ଗସ୍ତକୁ ସ୍ଥଗିତ କରିଦେଇଛନ୍ତି। ୨୨ ବର୍ଷ ପରେ ଫ୍ରାନ୍ସର କୌଣସି ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଜର୍ମାନୀ ଗସ୍ତରେ ଯାଇଥାନ୍ତେ।

ଏହା ମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରୀୟ ଫୁଟବଲ ଟିମ୍‌ର ସଦସ୍ୟ କିଲିୟନ ଏମ ବାପେଙ୍କ ସମେତ ଅନେକ ଖେଳାଳୀ ହିଂସା ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ ମଙ୍ଗଳବାର ନାହେଲଙ୍କୁ ହତ୍ୟା କରାଯାଇଥିଲା। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ଜନସାଧାରଣରେ ଆକ୍ରୋଶ ସୃଷ୍ଟି ହୋଇଥିଲା। ଏହା ହିଂସା ରୂପଧାରଣ କରି ସାରା ଦେଶକୁ କବଳିତ କରି ନେଇଥିଲା। ଫ୍ରାନ୍ସ ଗୃହମନ୍ତ୍ରୀ ହିଂସାକୁ ନେଇ ସାମାଜିକ ଗଣମାଧ୍ୟମ ଗୁଡିକୁ ଚେତାବନୀ ଦେଇଛନ୍ତି। ନେଟୱର୍କକୁ ହିଂସାର ମାଧ୍ୟମ ଭାବେ ବ୍ୟବହାର ନ କରିବାକୁ କୁହାଯାଇଛି। ସ୍ନାପଚାଟ୍‌ ଏବଂ ଟିକ୍‌ଟକ୍‌ ମାଧ୍ୟମରେ ଅଶାନ୍ତିର ବାତାବରଣ ସୃଷ୍ଟି କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଫ୍ରାନ୍ସରେ ଟ୍ରାଫିକ ଚେକିଂ ସମୟରେ ପୁଲିସ ଗୁଳିମାଡ଼ରେ ତିନି ଜଣଙ୍କ ଜୀବନ ଗଲାଣି। ଗତ ବର୍ଷ ଏଥିରେ ୧୩ ଜଣ ପ୍ରାଣ ହରାଇ ଥିଲେ। ୨୦୨୧ରେ ୩ ଜଣ ଏବଂ ୨୦୨୦ରେ ମଧ୍ୟ ୨ ଜଣଙ୍କ ଜୀବନ ଯାଇଥିଲା।

About The Author: The Sakala