ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାହୁଲ ଗାନ୍ଧିଙ୍କ ଯୁବ କ୍ରାନ୍ତି ସମାବେଶ । କର୍ଣ୍ଣାଟକରେ ଯଦି କଂଗ୍ରେସ ସରକାରକୁ ଆସେ ତେବେ ଚାକିରି ପାଇ ନଥିବା ସମସ୍ତ ଗ୍ରାଜୁଏଟଙ୍କୁ ତିନି ବର୍ଷ ଯାଏଁ ପ୍ରତି ମାସକୁ ମିଳିବ ତିନି ହଜାର ଟଙ୍କା । କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏପରି ଘୋଷଣା କରିଛନ୍ତି । ସେହିପରି ଡିପ୍ଲୋମାଧାରୀମାନେ ମାସିକ ୧୫ ଶହ ଟଙ୍କା ଲେଖାଏ ପାଇବେ। ସେମାନଙ୍କୁ ମଧ୍ୟ ୨ ବର୍ଷ ଯାଏ ଏପରି ଭତ୍ତା ଯୋଗାଇ ଦିଆଯିବ। ଏହା ସହ ଲୋକଙ୍କୁ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ।
ରାହୁଲ ଆହୁରି ମଧ୍ୟ କହିଛନ୍ତି କି ଭାରତ ଯୋଡ଼ ଯାତ୍ରା ବେଳେ ଯୁବବର୍ଗ ମୋ ପାଖକୁ ଆସିଥିଲେ, ସେମାନେ ବେରୋଜଗାର ଥିବା କହିଥିଲେ । ତେଣୁ ତାଙ୍କୁ ଭତ୍ତା ଆକାରରେ ଏହି ଟଙ୍କା ଦେବାକୁ କହିଛନ୍ତି ରାହୁଲ । ରାହୁଲ ଆହୁରି କହିଛନ୍ତି ଯେ, ଆମେ ୫ ବର୍ଷ ଭିତରେ ୧୦ ଲକ୍ଷ ଯୁବଗୋଷ୍ଠିଙ୍କୁ ଚାକିରି ଦେବୁ । ରାଜ୍ୟରେ ଖାଲି ପଡ଼ିଥିବା ୨.୫ ଲକ୍ଷ ପଦବୀ ପୂରଣ ହେବ । ବିପିଏଲ ତାଲିକାରେ ଥିବା ମହିଳାମାନେ ମାସକୁ ୩ ହଜାର ଟଙ୍କା ଏବଂ ପରିବାର ପିଛା ୧୦ କେଜି ଚାଉଳ ପାଇବେ । ସେମାନଙ୍କୁ ୨ ହଜାର ୟୁନିଟ ଯାଏ ମାଗଣା ବିଜୁଳି ବି ମିଳିବ ବୋଲି ରାହୁଲ ଗାନ୍ଧି ଘୋଷଣା କରିଛନ୍ତି ।