ନୂଆଦିଲ୍ଲୀ : ପୁଣି ଜୋର ଧରିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଚର୍ଚ୍ଚା। କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ଦିନ ପୂର୍ବରୁ ସୋନିପତର ମହିଳା କୃଷକମାନଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଥିଲେ । ଆଉ ଆଜି କିଛି ମହିଳା କୃଷକ ଦିଲ୍ଲୀରେ ପହଞ୍ଚିଥିଲେ ଏବଂ ୧୦ ଜନପଥରେ ସୋନିଆ ଗାନ୍ଧୀଙ୍କ ବାସଭବନକୁ ଯାଇଥିଲେ । ମହିଳା କୃଷକମାନଙ୍କୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ସ୍ୱାଗତ କରିବା ସହ ସେମାନଙ୍କ ସହ ବସି ଆଲୋଚନା ମଧ୍ୟ କରିଥିଲେ । ଏହି ସମୟରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମହିଳା କୃଷକଙ୍କ ସହ ମଉଜ-ମଜଲିସ୍ କରିଥିଲେ। ମହିଳା କୃଷକମାନେ ସୋନିଆ ଗାନ୍ଧୀଙ୍କ ସହ ବସି ଖାଦ୍ୟ ଖାଇଥିଲେ ଏବଂ ନୃତ୍ୟ ପରିବେଷଣ ମଧ୍ୟ କରିଥିଲେ। ଏହି ସମୟରେ ସୋନିଆ ଗାନ୍ଧୀଙ୍କ ପାଖରେ ବସିଥିବା ଜଣେ ମହିଳା କୃଷକ, ‘ଏବେ ରାହୁଲଙ୍କ ବିବାହ କରିଦିଅନ୍ତୁ’ ବୋଲି ଚୁପ୍ ଚୁପ୍ କହିଥିଲେ।
ଯେତେବେଳେ ମହିଳା କୃଷକ ରାହୁଲଙ୍କ ବିବାହ ବିଷୟରେ କହିଥିଲେ, ସେତେବେଳେ ସୋନିଆ ଗାନ୍ଧୀ ତୁରନ୍ତ କହିଥିଲେ ଯେ ଆପଣ ରାହୁଲଙ୍କ ପାଇଁ ଝିଅଟିଏ ତ ଖୋଜିଦିଅନ୍ତୁ । ଆପଣ ଝିଅ ଖୋଜିଦିଅନ୍ତୁ, ତାପରେ ବିବାହ କରାଇଦେବା । ସୋନିଆ ଗାନ୍ଧୀ ଏହା କହିବା ମାତ୍ରେ ସେଠାରେ ବସିଥିବା ଅନ୍ୟ ସମସ୍ତ ମହିଳା ହସିବାକୁ ଲାଗିଲେ। ଏହା ପରେ ରାହୁଲ ଗାନ୍ଧୀ ମଧ୍ୟ ଉତ୍ତର ଦେଇ କହିଥିଲେ ଯେ ‘ବିବାହ ହେବ’। ନିକଟରେ ରାହୁଲ ଗାନ୍ଧୀ ସୋନିପତ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ସେ ସେଠାକାର କିଛି ମହିଳା ଚାଷୀଙ୍କୁ ଭେଟିଥିଲେ। ଏପରିକି ସେମାନଙ୍କ ସହ ମିଶି କ୍ଷେତରେ ଚାରା ରୋପଣ ମଧ୍ୟ କରିଥିଲେ। ଏହି ଅବସରରେ ରାହୁଲ ମହିଳା ଚାଷୀଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଥିଲେ। ମହିଳା ଚାଷୀମାନେ ମଧ୍ୟ ନିମନ୍ତ୍ରଣ ରକ୍ଷା କରି ଦିଲ୍ଲୀ ପହଞ୍ଚି ଥିଲେ।
ସୂଚନାଯୋଗ୍ୟ କିଛିଦିନ ତଳେ ୫୩ ବର୍ଷୀୟ ଏହି ବରିଷ୍ଠ କଂଗ୍ରେସ ନେତା ବିବାହକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ବିହାରର ପାଟନାରେ ବିରୋଧୀ ଦଳମାନଙ୍କର ପ୍ରଥମ ବୈଠକରେ ମଧ୍ୟ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ରାହୁଲଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଥିଲେ । ଲାଲୁ କହିଥିଲେ ଯେ, ‘ବିବାହକୁ ନେଇ ମୋର ପରାମର୍ଶ ଗ୍ରହଣ କଲେ ନାହିଁ। ରାହୁଲ ବିବାହ କରିବା ଉଚିତ୍ । ତଥାପି ସମୟ ଅତିବାହିତ ହୋଇନାହିଁ । ବିବାହ କର, ଆମ କଥା ଶୁଣ । ତୁମ ମା ଆମକୁ ଅଭିଯୋଗ କରନ୍ତି ଯେ ତୁମେ ତାଙ୍କ କଥା ଶୁଣୁନାହଁ, ବିବାହ କରୁନ ।ତୁମେ ବିବାହ କର, ଆମେ ବରଯାତ୍ରୀ ଯିବୁ’ । ଏହାକୁ ନେଇ ରାହୁଲ ଗାନ୍ଧୀ କହିଥିଲେ ଯେ ଆପଣ କହିଲେଣି ମାନେ ବିବାହ କରିବି ।