ଇନ୍ଦୋରରେ ଦୂଷିତ ପାଣି ପିଇ ୮ ମୃତ, ୧୦୦ରୁ ଉର୍ଦ୍ଧ୍ୱ ଅସୁସ୍ଥ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଦୂଷିତ ପାଣି ପିଇବା କାରଣରୁ ୮ ଜଣ ମୃତ୍ୟୁବରଣ କରିଛନ୍ତି । ଇନ୍ଦୋରର ଭାଗିରଥପୁରା ଅଞ୍ଚଳରେ ଦୂଷିତ ପାନୀୟ ଜଳ ଯୋଗୁଁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଇନ୍ଦୋର ମେୟର ପୁଷ୍ୟମିତ୍ର ଭାର୍ଗବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସ୍ୱାସ୍ଥ୍ୟ ବିଭାଗ ସରକାରୀ ଭାବେ ୩ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି, କିନ୍ତୁ ମୋଟ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୩୬ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୬ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୌର ନିଗମର ସମ୍ପୂର୍ଣ୍ଣ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାରେ ସାହାଯ୍ୟ କରୁଛନ୍ତି।

ଏହି ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ତୁରନ୍ତ ପ୍ରଭାବରେ ଜୋନ ନମ୍ବର ୪ର ଜୋନାଲ ଅଫିସର ଏବଂ ସହକାରୀ ଯନ୍ତ୍ରୀଙ୍କୁ ନିଲମ୍ବିତ କରିବା ସହ ଜଣେ ପିଏଚଇ (PHE) ସବ୍-ଇଞ୍ଜିନିୟରଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ଆଇଏଏସ୍ ଅଧିକାରୀ ନବଜୀବନ ପାୱାରଙ୍କ ନେତୃତ୍ୱରେ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି। ଏଥିରେ ଅଧୀକ୍ଷକ ଯନ୍ତ୍ରୀ ପ୍ରଦୀପ ନିଗମ ଏବଂ ଡାକ୍ତର ଶୈଳେଶ ରାୟ ସଦସ୍ୟ ରହିଛନ୍ତି।

ମୁଖ୍ୟମନ୍ତ୍ରୀ ପୀଡିତଙ୍କ ପାଇଁ ମାଗଣା ଚିକିତ୍ସା ଘୋଷଣା କରିବା ସହ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି। ଏହା ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନସ୍ୱାସ୍ଥ୍ୟ କ୍ଷେତ୍ରରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି।

About The Author: Madhusudan Das