ଦିଲ୍ଲୀ ହୌଜ ରାନୀ ହୋଟେଲ୍ ଅଗ୍ନିକାଣ୍ଡ: ୨୧ ମୃତ, ନିୟମ ଉଲ୍ଲଂଘନ ଅଭିଯୋଗରେ ମାଲିକ ଗିରଫ ଏବଂ B&B ନୀତି ପ୍ରତ୍ୟାହାର ଘୋଷଣା

ଦିଲ୍ଲୀ ମାଲବୀୟ ନଗରର ହୌଜ ରାନୀ ଅଞ୍ଚଳରେ ଥିବା ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୧ ଜଣଙ୍କର ପ୍ରାଣହାନି ଘଟିଛି। ଫ୍ଲୋରିସ୍ ଷ୍ଟେ (Flourish Stay) ନାମକ ଏହି ବେଡ୍ ଆଣ୍ଡ ବ୍ରେକଫାଷ୍ଟ (B&B) ହୋଟେଲରେ ଘଟିଥିବା ଏହି ଅଘଟଣ ପରେ ପ୍ରଶାସନିକ ତ୍ରୁଟି ଏବଂ ନିୟମ ଉଲ୍ଲଂଘନର ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସ ହୋଟେଲର ମାଲିକ ଲବକେଶ ବଜାଜଙ୍କୁ ଗିରଫ କରିଥିବା ବେଳେ ଏହାର ମ୍ୟାନେଜର ଫେରାର ଅଛନ୍ତି।

ନିୟମର ଖୋଲାଖୋଲି ଉଲ୍ଲଂଘନ ଏବଂ ସୁରକ୍ଷା ତ୍ରୁଟି

ଦିଲ୍ଲୀ ସରକାରଙ୍କ ବିଆଣ୍ଡବି (B&B) ଯୋଜନା ଅଧୀନରେ ଫ୍ଲୋରିସ୍ ଷ୍ଟେ'କୁ କେବଳ ୬ଟି ରୁମ୍ ପାଇଁ ଅନୁମତି ମିଳିଥିଲା। କିନ୍ତୁ ପ୍ରଶାସନିକ ଆଖିରେ ଧୂଳି ଦେଇ ଏହି ପାଞ୍ଚ ମହଲା କୋଠାରେ ବେଆଇନ ଭାବେ ବେସମେଣ୍ଟକୁ ମିଶାଇ ପ୍ରାୟ ୨୫ଟି ରୁମ୍ ଚାଲୁଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି କୋଠା ନିକଟରେ ଅଗ୍ନିଶମ ବିଭାଗର ଏନଓସି (NOC) ନଥିଲା ଏବଂ ଗୋଟିଏ ମାତ୍ର ପ୍ରବେଶ ଓ ପ୍ରସ୍ଥାନ ପଥ ଥିଲା। କୋଠାର ଝରକାଗୁଡ଼ିକ ସିଲ୍ ହୋଇଥିବା କାରଣରୁ ନିଆଁ ଲାଗିବା ପରେ ଧୂଆଁ ବାହାରି ପାରିନଥିଲା, ଯାହାକି ଏହାକୁ ଏକ 'ମୃତ୍ୟୁ ଯନ୍ତା'ରେ ପରିଣତ କରିଥିଲା।

ପ୍ରତ୍ୟାହାର ହେବ ବିଆଣ୍ଡବି ନୀତି

ଏହି ମର୍ମନ୍ତୁଦ ଘଟଣା ପରେ ଦିଲ୍ଲୀର ପର୍ଯ୍ୟଟନ ମନ୍ତ୍ରୀ କପିଲ ମିଶ୍ର ରାଜ୍ୟର ବେଡ୍ ଆଣ୍ଡ ବ୍ରେକଫାଷ୍ଟ (B&B) ନୀତିକୁ ଆନୁଷ୍ଠାନିକ ଭାବେ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ପଞ୍ଜୀକୃତ ହୋଇଥିବା ସମସ୍ତ ହୋଟେଲ ଓ ଗେଷ୍ଟ ହାଉସଗୁଡ଼ିକର ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନ୍ (MCD) ବେଆଇନ ବ୍ୟବସାୟିକ କୋଠାଗୁଡ଼ିକୁ ସିଲ୍ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି।

ମେଡିକାଲ ପର୍ଯ୍ୟଟକଙ୍କୁ ଶକ୍ତ ଧକ୍କା

ମୃତକଙ୍କ ମଧ୍ୟରେ ଅଧିକାଂଶ ଥିଲେ ବିଦେଶୀ ନାଗରିକ, ଯେଉଁମାନେ ମୁଖ୍ୟତଃ ମଧ୍ୟ ଏସିଆ ଓ ଆଫ୍ରିକୀୟ ଦେଶରୁ ଆସି ନିକଟସ୍ଥ ମାକ୍ସ ହସ୍ପିଟାଲରେ (Max Hospital) ନିଜ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଏଠାରେ ରହୁଥିଲେ। ନିଆଁ ଲାଗିବା ପରେ ଆଖପାଖର ଅନ୍ୟାନ୍ୟ ହୋଟେଲଗୁଡ଼ିକ ମଧ୍ୟ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଭୟରେ ବନ୍ଦ ହୋଇଯାଇଛି, ଯାହା ଫଳରେ ଅନେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ରାସ୍ତା ଉପରେ ଆଶ୍ରୟ ଖୋଜୁଥିବା ଦେଖିବାକୁ ମିଳିଛି।

ଦେବଦୂତ ସାଜିଲେ ବାପା-ପୁଅ

ଏହି ହୃଦୟବିଦାରକ ଘଟଣା ମଧ୍ୟରେ ସ୍ଥାନୀୟ ଅଞ୍ଚଳର ଏକ ଗଦି (Mattress) ଦୋକାନୀ ବାପା-ପୁଅ ଦେବଦୂତ ସାଜିଥିଲେ। ରିୟାଜୁଦ୍ଦିନ ମନସୁରୀ ଏବଂ ଅରମାନ ମନସୁରୀ ନାମକ ଏହି ଦୁଇଜଣ, ନିଆଁର ପ୍ରକୋପରୁ ବର୍ତ୍ତିବା ପାଇଁ ଲୋକେ ଉପରୁ ତଳକୁ ଡେଉଁଥିବା ବେଳେ, ରାସ୍ତା ଉପରେ ଗଦି ବିଛାଇ ପ୍ରାୟ ୮ ଜଣଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ।

About The Author: Suryakanta