ଗିରଫ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସନ୍ଧ୍ୟାରୁ ଘରେ ରେଡ୍‌ କରିଥିଲା ଇଡି

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଗୁରୁବାର ସନ୍ଧ୍ୟାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ରେଡ କରିଥିବା ବେଳେ ପ୍ରାୟ ଦୁଇ ଘଣ୍ଟା ପରେ ତାଙ୍କୁ ଗିରଫ କରିଛି। ଅବକାରୀ ଦୁର୍ନୀତି ସହ ଜଡ଼ିତ ମାମଲାରେ ଇଡି ଟିମ୍ ସର୍ଚ୍ଚ ଓ୍ବାରେଣ୍ଟ୍ ସହ କେଜ୍ରିୱାଲଙ୍କ ବାସଭବନରେ ଗୁରୁବାର ସନ୍ଧ୍ୟରେ ପହଞ୍ଚି ପଚରା ଉଚୁରା କରୁଥିଲା। ଦୁଇ ଘଣ୍ଟାର ଜେରା ପରେ […]

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଗୁରୁବାର ସନ୍ଧ୍ୟାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ରେଡ କରିଥିବା ବେଳେ ପ୍ରାୟ ଦୁଇ ଘଣ୍ଟା ପରେ ତାଙ୍କୁ ଗିରଫ କରିଛି।

ଅବକାରୀ ଦୁର୍ନୀତି ସହ ଜଡ଼ିତ ମାମଲାରେ ଇଡି ଟିମ୍ ସର୍ଚ୍ଚ ଓ୍ବାରେଣ୍ଟ୍ ସହ କେଜ୍ରିୱାଲଙ୍କ ବାସଭବନରେ ଗୁରୁବାର ସନ୍ଧ୍ୟରେ ପହଞ୍ଚି ପଚରା ଉଚୁରା କରୁଥିଲା। ଦୁଇ ଘଣ୍ଟାର ଜେରା ପରେ ଇଡିର ଅଧିକାରୀମାନେ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି। ଗିରଫ ପରେ ତାଙ୍କୁ ଇଡି ତା’ର ମୁଖ୍ୟାଳୟକୁ ନେଇଛି। ଗିରଫ ପୂର୍ବରୁ ଇଡି ଅରବିନ୍ଦ କେଜ୍ରିୱାଲଙ୍କ ମୋବାଇଲ ଫୋନ ଜବତ କରିଥିଲା । ଇଡି କହିଛି କି, ଜେରା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଯାଂଚ ଟିମକୁ ସହଯୋଗ କରି ନଥିଲେ । ଯାହା ପରେ ଇଡି ତାଙ୍କୁ ଗିରଫ କରି ହେପାଜତକୁ ନେଇଛି।

ଦିଲ୍ଲୀ ଅବକାରୀ ନୀତିକୁ ନେଇ  କେଜ୍ରିୱାଲଙ୍କୁ ଇଡି ୯ଥର ସମନ ଜାରି କରିଥିଲା କିନ୍ତୁ କେଜ୍ରିୱାଲ ଇଡିରେ ହାଜର ହୋଇନଥିଲେ। ଇଡି କାଳେ ଗିରଫ କରିନେବ, ସେହି ଆଶଙ୍କାରେ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ଦିଲ୍ଲୀ ହାଇକୋର୍ଟ ତାଙ୍କ ଯାଚିକାକୁ ଖାରଜ କରିବା ସହ କହିଛନ୍ତି ଯେ, ବର୍ତ୍ତମାନ ଆମେ ଏଥିପାଇଁ କୌଣସି ସମ୍ମତି ଦେଇପାରିବୁ ନାହିଁ । ଅନ୍ୟପକ୍ଷରେ କୋର୍ଟ ଆଜି ଇଡିକୁ କହିଥିଲେ ଯଦି କେଜ୍ରିୱାଲଙ୍କ ବିରୁଦ୍ଧରେ ଆପଣଙ୍କ ପାଖରେ କୌଣସି ଠୋସ୍ ପ୍ରମାଣ ଅଛି ତେବେ ଆପଣ ତାହା ଦେଖାନ୍ତୁ । ଏହାର ଉତ୍ତରରେ ଇଡି କହିଛି ଯାଞ୍ଚ ସମ୍ବନ୍ଧିତ ସାମଗ୍ରୀ ଏପରି କୋର୍ଟରେ ଆମେ ସର୍ବସମ୍ମୁଖରେ ରଖି ପାରିବୁ ନାହିଁ । କୋର୍ଟ କହିଛନ୍ତି ତେବେ ଆପଣ ଏହା କେବଳ ଆମକୁ ଦେଖାନ୍ତୁ । କିନ୍ତୁ ଏହାର ପ୍ରତିଉତ୍ତରରେ ଇଡି କହିଛି ଆମେ ଆଇନ ଆଧାରରେ ହିଁ କାର୍ଯ୍ୟାନୁଷ୍ଠାନ ନେଉଛୁ । ଆଇନ କେଜ୍ରିୱାଲ ଓ ସାଧାରଣ ଜନତାଙ୍କ ଲାଗି ସମାନ ଅଟେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୨୨ ତାରିଖରେ ହେବ ବୋଲି ହାଇକୋର୍ଟ କହିଥିବା ବେଳେ କେଜ୍ରିୱାଲଙ୍କୁ ଇଡି ଗିରଫ କରିଛି।

ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନ ଖାରଜ କରିବା କ୍ଷଣି ଇଡିର ୧୨ ଜଣିଆ ଟିମ ତାଙ୍କ ଘରେ ପହଞ୍ଚି ଯାଇଥିଲା। ଇଡିର ଅଧିକାରୀମାନେ ତାଙ୍କ ଘର ସର୍ଚ୍ଚ କରୁଥିବା ବେଳେ ବୟାନ ମଧ୍ୟ ରେକର୍ଡ କରିଥିଲେ। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟର ଧାରା ୫୦ ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ପ୍ରଥମେ କେଜ୍ରିୱାଲ ଓ ତାଙ୍କ ପରିବାର ଲୋକଙ୍କ ଫୋନକୁ ମଧ୍ୟ ଇଡି ଜବତ କରି ନିଆଯାଇଥିଲା। ଏହାପରେ ଦୁଇ ଘଣ୍ଟା କାଳ ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲା। ପ୍ରାୟ ୨ ଘଣ୍ଟାର ଜେରା ପରେ କେଜ୍ରିୱାଲଙ୍କୁ ଇଡି ବାନ୍ଧିଛି।

ଅନ୍ୟପଟେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ପରେ ଦିଲ୍ଲୀ, ପଞ୍ଜାବ ଓ ହରିଆଣାରେ ମଧ୍ୟ ବିକ୍ଷୋଭ ଆରମ୍ଭ ହୋଇ ଯାଇଛି। କେଜ୍ରିୱାଲଙ୍କ ବାସଭବନ ଆଗରେ ଆପ କର୍ମୀମାନେ ବିକ୍ଷୋଭ କରୁଥିବା ବେଳେ ପୁଲିସ୍‌ ତାଙ୍କୁ ଉଠାଇ ନେଇଛି।

About The Author: The Sakala