ଦିଲ୍ଲୀରେ ବାୟୁ ପ୍ରଦୂଷଣର ଭୟାବହ ରୂପ: ୪୮୨ରେ ପହଞ୍ଚିଲା AQI, ଆଗକୁ ଆହୁରି ବିପଦ

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଅତି ସଙ୍ଗିନ ରୂପ ଧାରଣ କରିଛି। ଗୁରୁବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ବା AQI 'ବିପଜ୍ଜନକ' ଶ୍ରେଣୀରେ ରହିଥିବା ବେଳେ ଏହା ୪୮୨ ରେକର୍ଡ କରାଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB)ର ତଥ୍ୟ ଅନୁଯାୟୀ, ସକାଳ ୮:୦୧ ସୁଦ୍ଧା ରାଜଧାନୀର ଅନେକ ଅଞ୍ଚଳରେ ପ୍ରଦୂଷଣ ସ୍ତର ଅତି ଗୁରୁତର ସ୍ତରରେ ପହଞ୍ଚିଛି। 

CPCB ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ପ୍ରାୟ ୭ଟି ପ୍ରଦୂଷଣ ମନିଟରିଂ ଷ୍ଟେସନରେ AQI ସ୍ତର ୪୦୦ ରୁ ଅଧିକ ରହିଛି। ପଞ୍ଜାବୀ ବାଗରେ ସର୍ବାଧିକ ୪୪୬ AQI ରେକର୍ଡ କରାଯାଇଥିବା ବେଳେ ନରେଲାରେ ୪୩୪, ରୋହିଣୀରେ ୪୩୧, ଆର.କେ ପୁରମ୍ରେ ୪୧୬, ବାୱାନାରେ ୪୧୨, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଉତ୍ତର କ୍ୟାମ୍ପସରେ ୪୦୮ ଏବଂ ପଟପରଗଞ୍ଜରେ ୪୦୫ AQI ରହିଛି। ଅନ୍ୟପକ୍ଷରେ ଓଖଲା ଫେଜ୍-୨ ଏବଂ ଇଣ୍ଡିଆ ଗେଟ୍ ଅଞ୍ଚଳରେ ଏହି ସୂଚକାଙ୍କ ୩୯୯ ରେକର୍ଡ କରାଯାଇଛି, ଯାହାକି 'ଅତି ଖରାପ' ଶ୍ରେଣୀଭୁକ୍ତ। 

ବାୟୁ ପ୍ରଦୂଷଣ ବଢୁଥିବା ଦେଖି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ, କେନ୍ଦ୍ରୀୟ ବାୟୁ ଗୁଣବତ୍ତା ପ୍ୟାନେଲ୍ (CAQM) ପକ୍ଷରୁ ପାଣିପାଗ ସ୍ଥିତି, ପବନର ଦିଗ ଏବଂ ଗତି ଉପରେ କ୍ରମାଗତ ଭାବେ ନଜର ରଖାଯାଇଛି। ପରିବେଶ ମନ୍ତ୍ରୀଙ୍କ କହିବା ଅନୁଯାୟୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶ ଭଳି ପଡ଼ୋଶୀ ରାଜ୍ୟଗୁଡ଼ିକରେ ନଡ଼ା ପୋଡ଼ି ଘଟଣା ହ୍ରାସ ପାଇଛି ଏବଂ ପ୍ରାୟ ୪୦ ପ୍ରତିଶତ ନଡ଼ାକୁ ଏଥର ଅନ୍ୟାନ୍ୟ କାର୍ଯ୍ୟରେ ବିନିଯୋଗ କରାଯାଇଛି। ତେବେ ବାୟୁମଣ୍ଡଳୀୟ ପରିସ୍ଥିତିକୁ ବିଚାର କରି CAQM ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛି ବୋଲି ସେ ସୂଚନା ଦେଇଛନ୍ତି।

About The Author: Madhusudan Das