ଦିଲ୍ଲୀ ଗଣଦୁଷ୍କର୍ମ ମାମଲା ; ଅପରାଧ ପରେ ରେଷ୍ଟୁରାଣ୍ଟରେ ଖାଇଥିଲେ ଅଭିଯୁକ୍ତ, ପ୍ରମାଣ ନଷ୍ଟ ପାଇଁ ଧୋଇଥିଲେ ପୋଷାକ: ପୋଲିସ

ଦିଲ୍ଲୀର ଆସ୍ଥା କୁଞ୍ଜ ପାର୍କରେ ୧୭ ବର୍ଷୀୟା ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପୋଲିସ ତଦନ୍ତରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, ଘଟଣା ଘଟାଇବା ପରେ ଦୁଇ ଭାଇ ମୁକେଶ ସିଂହ (୨୪) ଓ ହେମନ୍ତ ସିଂହ (୩୧) ପ୍ରଥମେ ଏକ ରେଷ୍ଟୁରାଣ୍ଟକୁ ଯାଇ ଖାଇଥିଲେ। ପରେ ଶ୍ରୀନିବାସପୁରୀସ୍ଥିତ ଘରକୁ ଫେରି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ପୋଷାକ ଧୋଇଥିବା ପୋଲିସ କହିଛି।

ପୋଲିସ ଅନୁସାରେ, ସୋମବାର ସନ୍ଧ୍ୟା ପ୍ରାୟ ୭ଟା ୧୫ରୁ ୭ଟା ୩୦ ମଧ୍ୟରେ କାଲକାଜୀ ମନ୍ଦିର ନିକଟସ୍ଥ ୧୪୨ ଏକର ବିଶିଷ୍ଟ ଆସ୍ଥା କୁଞ୍ଜ ପାର୍କର ଏକ ନିଛାଟିଆ ସ୍ଥାନରେ ନାବାଳିକା ଓ ତାଙ୍କ ୧୭ ବର୍ଷୀୟ ପୁରୁଷ ବନ୍ଧୁ ଥିବା ସମୟରେ ଅଭିଯୁକ୍ତମାନେ ସେମାନଙ୍କୁ ଟାର୍ଗେଟ କରିଥିଲେ। ନାବାଳିକା ଜଣକ ନିଜ ୧୭ତମ ଜନ୍ମଦିନରେ ପାର୍କକୁ ଯାଇଥିବା ପୋଲିସ କହିଛି।

ମାମଲାରେ ମୁକେଶ ଓ ହେମନ୍ତଙ୍କ ସହ ଆସିଫ୍‌ (୩୦)ଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି। ତିନିଜଣଙ୍କୁ ମଙ୍ଗଳବାର ଗିରଫ କରାଯାଇଥିଲା। ପୋଲିସ କହିଛି, ଗିରଫ ସମୟରେ ଦୁଇ ଭାଇଙ୍କ ଧୋଇଥିବା ପୋଷାକ ନିକଟରୁ ମିଳିଥିଲା।

ତଦନ୍ତକାରୀମାନେ ଅଭିଯୁକ୍ତଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିଛନ୍ତି। ନିକଟରେ ଫୋନ୍‌ରେ ବହୁ ମିଡିଆ ଫାଇଲ୍‌ ଯୋଡ଼ାଯାଇଥିବାରୁ ଫରେନସିକ୍ ସାଇନ୍ସ ଲାବରେଟୋରୀ (FSL) ମାଧ୍ୟମରେ ତଥ୍ୟ ପୁନରୁଦ୍ଧାର କରାଯିବ ବୋଲି ପୋଲିସ କହିଛି।

ପୋଲିସ ଅନୁସାରେ, ଆସିଫ୍‌କୁ ଗିରଫ କରିବା ସମୟରେ ସାମାନ୍ୟ ଗୁଳି ବିନିମୟ ହୋଇଥିଲା। ଅଭିଯୁକ୍ତଙ୍କ ନିକଟରୁ ଏକ ଅନଧିକୃତ ଆଗ୍ନେୟାସ୍ତ୍ର ଓ ଛୁରୀ ଜବତ ହୋଇଛି। ଆସିଫ୍‌ଙ୍କ ମୋବାଇଲ୍‌ରୁ ଆପତ୍ତିଜନକ ଓ ପର୍ଣ୍ଣୋଗ୍ରାଫିକ୍‌ ସାମଗ୍ରୀ ମିଳିଥିବା ପୋଲିସ ଦାବି କରିଛି। ଏନେଇ ମଧ୍ୟ FSL ରିପୋର୍ଟ ମଗାଯାଇଛି।

ପାର୍କର କର୍ମଚାରୀ, ସୁରକ୍ଷାକର୍ମୀ ଏବଂ ନିକଟସ୍ଥ ଗୋଦାମର କର୍ମଚାରୀଙ୍କ ସମେତ ନିୟମିତ ପାର୍କକୁ ଆସୁଥିବା କିଛି ଲୋକ ଆସିଫ୍‌ଙ୍କୁ ସ୍ଥାନୀୟ ଉପଦ୍ରବକାରୀ ଭାବେ ଚିହ୍ନଟ କରିଥିବା ପୋଲିସ କହିଛି। ପୂର୍ବରୁ ସେ କିଛି ଦମ୍ପତିଙ୍କୁ ହଇରାଣ କରୁଥିବା ଅଭିଯୋଗର ମଧ୍ୟ ତଦନ୍ତ କରାଯାଉଛି।

ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଘଟଣା ଦିନ ଅଭିଯୁକ୍ତମାନେ ଏକ ଆଗ୍ନେୟାସ୍ତ୍ର, ଛୁରୀ ଓ କଣ୍ଡୋମ୍‌ ସାଙ୍ଗରେ ରଖିଥିଲେ। ପ୍ରାୟ ୪୫ ମିନିଟ୍‌ ଧରି ସେମାନେ ପାର୍କରେ ବୁଲି ବୁଲି ଟାର୍ଗେଟ୍‌ ଖୋଜୁଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି। ପରେ ନିଛାଟିଆ ସ୍ଥାନରେ ନାବାଳିକା ଓ ତାଙ୍କ ବନ୍ଧୁଙ୍କୁ ଦେଖି ସେମାନେ ନିଜକୁ ପୋଲିସ କର୍ମଚାରୀ ବୋଲି ପରିଚୟ ଦେଇଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ଜାରି ରହିଥିବାବେଳେ ଅଭିଯୁକ୍ତମାନଙ୍କ ମୋବାଇଲ୍‌, ଫରେନସିକ୍‌ ପ୍ରମାଣ ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରାଯାଉଛି।

About The Author: Suryakanta