ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ସଶସ୍ତ୍ର ବାହିନୀର ଶକ୍ତି ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସୋମବାର, ସେପ୍ଟେମ୍ବର ୭, ୨୦୨୬ ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ବୈଠକରେ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିଗତ ଅଧିଗ୍ରହଣ ପ୍ରସ୍ତାବକୁ ସୈଦ୍ଧାନ୍ତିକ ପ୍ରଶାସନିକ ମଞ୍ଜୁରୀ (AoN) ପ୍ରଦାନ କରାଯାଇଛି।

ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱ

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଏହି ମଞ୍ଜୁରୀ ପ୍ରାପ୍ତ ପ୍ରୋଜେକ୍ଟ ଅଧୀନରେ ଥିବା ପ୍ରାୟ ୯୮% ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ଘରୋଇ ଶିଳ୍ପଗୁଡ଼ିକରୁ କ୍ରୟ କରାଯିବ। ଏହା ଦେଶର 'ଆତ୍ମନିର୍ଭର ଭାରତ' ଅଭିଯାନକୁ ସୁଦୃଢ଼ କରିବା ସହ ଘରୋଇ ପ୍ରତିରକ୍ଷା ଶିଳ୍ପକୁ ପ୍ରୋତ୍ସାହିତ କରିବ। ଏହି କ୍ରୟ ଦ୍ୱାରା ତିନି ସେନାର କ୍ଷମତା ଆହୁରି ବୃଦ୍ଧି ପାଇବ।

ଭାରତୀୟ ସେନା ପାଇଁ କ'ଣ ରହିଛି?

ଏହି ମଞ୍ଜୁରୀ ଜରିଆରେ ଭାରତୀୟ ସେନା ପାଇଁ କେମିକାଲ୍ ବାୟୋଲୋଜିକାଲ୍ ରେଡିଓଲୋଜିକାଲ୍ ଆଣ୍ଡ୍ ନ୍ୟୁକ୍ଲିୟର (CBRN) ରେକି ଯାନ, ହାଇ ମୋବିଲିଟି ଭେଇକିଲ୍ (HMV), ସେଲ୍ଫ-ପ୍ରୋପେଲ୍ଡ ମେକାନିକାଲ୍ ମାଇନ୍ ଲେୟାର (MML), ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର (ALH), ଟ୍ରଲ୍ ଟ୍ୟାଙ୍କ୍ ଏବଂ 'ସର୍ବତ୍ର' ବ୍ରିଜ୍ ସିଷ୍ଟମ୍ କ୍ରୟ କରାଯିବ। CBRN ରେକି ଯାନ ଦ୍ୱାରା ରାସାୟନିକ ଏବଂ ଆଣବିକ ଅସ୍ତ୍ରଶସ୍ତ୍ରର ପ୍ରଭାବିତ ଅଞ୍ଚଳ ଚିହ୍ନଟ କରିବା ସହଜ ହେବ। ସେହିପରି ଦୁର୍ଗମ ଅଞ୍ଚଳରେ ଯାନବାହନ ଚଳାଚଳ ସହଜ କରିବା ପାଇଁ HMV ଏବଂ MML ବ୍ୟବହାର କରାଯିବ।

ନୌସେନା ଏବଂ ବାୟୁସେନାର ବଢ଼ିବ ଶକ୍ତି

ଭାରତୀୟ ନୌସେନା ପାଇଁ ଆରୁଧ୍ରା ରାଡାର (Arudhra Radars) ଏବଂ ସାମୁଦ୍ରିକ ଗ୍ୟାସ୍ ଟର୍ବାଇନ୍ (MGT) ର ଡିଜାଇନ୍ ଏବଂ ବିକାଶ ପାଇଁ ମଞ୍ଜୁରୀ ଦିଆଯାଇଛି। ନୂଆ ରାଡାର ନୌସେନା ଷ୍ଟେସନରେ ଥିବା ପୁରୁଣା ରାଡାରର ସ୍ଥାନ ନେବ, ଏବଂ MGT ଯୁଦ୍ଧଜାହାଜ ଚାଳନାରେ ବିଦେଶୀ ନିର୍ଭରଶୀଳତା କମାଇବ।

ଅନ୍ୟପଟେ ଭାରତୀୟ ବାୟୁସେନା ର ଫାଇଟର ଜେଟ୍, ଟ୍ରାନ୍ସପୋର୍ଟ ବିମାନ ଏବଂ ହେଲିକପ୍ଟରର ଯୁଦ୍ଧ କ୍ଷମତା ବୃଦ୍ଧି କରିବାକୁ ପ୍ରସ୍ତାବକୁ ସବୁଜ ସଙ୍କେତ ମିଳିଛି। ଗ୍ରାଉଣ୍ଡ୍-ବେସ୍ଡ୍ ମଲ୍ଟି-ପରପୋଜ୍ ଜାମର୍ (GBMPJ) ଏବଂ ଡିଫେନ୍ସ ଫୋର୍ସେସ୍ ସିକ୍ୟୁର୍ ଆକ୍ସେସ୍ କାର୍ଡ (DEFSAC) ସିଷ୍ଟମ୍ କ୍ରୟ ପାଇଁ ମଧ୍ୟ ଅନୁମୋଦନ ଦିଆଯାଇଛି。

About The Author: Suryakanta