ନୂଆଦିଲ୍ଲୀ: ପଶ୍ଚିମ ସମୁଦ୍ର ଉପକୂଳରେ ଅତି ଭୀଷଣ ବାତ୍ୟାରେ ରୂପ ନେଇଛି ଘୂର୍ଣ୍ଣିଝଡ଼ ବିପର୍ଯ୍ୟୟ । ଆସନ୍ତା ୧୫ ତାରିଖରେ ଏହା ସ୍ଥଳଭାଗ ଛୁଇଁପାରେ। ଗୁଜରାଟର ମାଣ୍ଡଭି ଏବଂ ପାକିସ୍ତାନର କରାଚୀ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏବେ ମୁମ୍ବାଇ ଉପକୂଳଠାରୁ ୫୬୦ କିଲୋମିଟର ଏବଂ ଗୁଜରାଟର ପୋରବନ୍ଦର ଠାରୁ ୪୬୦ କିମି ଦୂରରେ ରହିଛି । ଘଣ୍ଟାପ୍ରତି ୬ କିମି ବେଗରେ ଅତିକ୍ରମ କରୁଛି ବାତ୍ୟା ବିପର୍ଯ୍ୟୟ। ଲ୍ୟାଣ୍ଡଫଲ ବେଳେ ବ୍ୟାପକ କ୍ଷତି ଘଟାଇପାରେ ବାତ୍ୟା ବିପର୍ଯ୍ୟୟ। ସ୍ଥିତିକୁ ନେଇ ଗୁଜରାଟର ସୌରାଷ୍ଟ୍ର ଏବଂ ଏବଂ କଚ୍ଛ ଅଂଚଳରେ ଆଲର୍ଟ ଜାରି କରାଯାଇଛି।
ଆରବ ଉପକୂଳରେ ବଳ ଗୋଟାଇବା ପରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି ବିପର୍ଯ୍ୟୟ। ଆସନ୍ତା ୧୪ ସକାଳ ପର୍ଯ୍ୟନ୍ତ ଉତ୍ତର ଦିଗରେ ଗତି କରି ପରବର୍ତ୍ତୀ ସମୟରେ ଏହା ଉତ୍ତର ପୂର୍ବ ମୁହାଁ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗୁଜରାଟର ସୌରାଷ୍ଟ୍ର, କଚ୍ଛ ଏବଂ ପାକିସ୍ତାନର କରାଚି ଉପକୂଳ ଦେଇ ବାତ୍ୟା ବିପର୍ଯ୍ୟୟ ସ୍ଥଳଭାଗ ଛୁଇଁବ। ଆସନ୍ତା ୧୫ ତାରିଖରେ ଅତି ଭୀଷଣରୁ ଭୀଷଣ ବାତ୍ୟାର ସ୍ଥିତିରେ ଏହା ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ ସମୟରେ ପବନର ଗତି ସର୍ବାଧିକ ୧୫୦ କିମି ମଧ୍ୟରେ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।