ନୂଆଦିଲ୍ଲୀ : ଆନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ ଅର୍ଥାତ୍ କ୍ରୁଡ଼ ଅଏଲ ମୂଲ୍ୟ ତଳମୁହାଁ। କ୍ରୁଡ଼ ଅଏଲର ମୂଲ୍ୟ ବ୍ୟାରେଲ ପିଛା ୬୬ ଡ଼ଲାରରେ ପହଞ୍ଚିଛି। ଆଗକୁ କ୍ରୁଡ଼ ଅଏଲ୍ ମୂଲ୍ୟ ୬୦ ଡ଼ଲାର ତଳକୁ ଖସିପାରେ ବୋଲି ବଜାର ବିଶେଷଜ୍ଞମାନେ ମତ ଦେଉଛନ୍ତି। ମାତ୍ର ଆନ୍ତର୍ଜାତୀୟସ୍ତରରେ ତୈଳ ମୂଲ୍ୟ କମିଥିଲେ ମଧ୍ୟ ଭାରତୀୟ ଉପଭୋକ୍ତା ଏଥିରୁ କୌଣସି ଲାଭ ପାଉ ନାହାନ୍ତି।
ବର୍ତ୍ତମାନର ମହଙ୍ଗା ବଜାର ଦରରେ ଖାଉଟିଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଦରଠାରୁ ବଳିଯାଉଛି ଖାଉଟିଙ୍କ ତେଲ କଷ୍ଟ। ବିଡ଼ମ୍ବନା ହେଉଛି ପେଟ୍ରୋଲିୟମ ଉତ୍ପାଦ ଡ଼ିଜେଲ ଓ ପେଟ୍ରୋଲ ମୂଲ୍ୟର ଅଧାରୁ ଅଧିକ କେବଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ଏବଂ ପେଟ୍ରୋଲିୟମ କମ୍ପାନୀର ଲାଭ ନେଇଯାଉଛି। ପ୍ରକ୍ରିୟାକରଣ ପରେ ଅଶୋଧିତ ତୈଳର ମୂଲ୍ୟ ପାଖାପାଖି ୫୦ ଟଙ୍କା ଥିବାବେଳେ ଖାଉଟି ଏହାକୁ ୧୦୧ ଟଙ୍କା ଦରରେ କ୍ରୟ କରୁଛି। ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡ଼ିଜେଲରେ ହାରାହାରି ଲିଟର ପିଛା ୧୫ ଟଙ୍କା ଲାଭ କରୁଛନ୍ତି। ଓଡ଼ିଶାରେ ଟିକସ ବାବଦରେ ୨୮% ଆଦାୟ କରାଯାଉଛି ଓ ଅନ୍ୟ ରାଜ୍ୟଗୁଡ଼ିକରେ ଭିନ୍ନଭିନ୍ନ ଟିକସ ହାର ଲାଗୁ ହୋଇଛି, ସେହିପରି କେନ୍ଦ୍ର ସରକାର ମଧ୍ୟ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବାବଦରେ ଟିକସ ଆଦାୟ କରୁଛନ୍ତି।
ବିଡ଼ମ୍ବନା ହେଉଛି ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଖାଉଟି ପେଟ୍ରୋଲିୟମ ଟିକସ ଦେଉଥିଲେ ମଧ୍ୟ ତୈଳ ମୂଲ୍ୟ ହ୍ରାସ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଲୋକସଭା ନିର୍ବାଚନ ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କେବଳ ଥରେ ଲିଟର ପିଛା ୨ ଟଙ୍କା ହ୍ରାସ ପାଇଥିଲା। ସେବେଠାରୁ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଦେଖାଯାଇନାହିଁ। ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏହି ସମୟ ମଧ୍ୟରେ, କଞ୍ଚା ତେଲ ମୂଲ୍ୟ ପ୍ରତି ବ୍ୟାରେଲ ୨୦ ଡଲାରରୁ ଅଧିକ ହ୍ରାସ ପାଇଛି। ମାତ୍ର ଏହାର ଫାଇଦା ଖାଉଟିଙ୍କ ପାଖରେ ପହଞ୍ଚି ପାରିନାହିଁ। ବିଶେଷଜ୍ଞଙ୍କ ମତରେ ୨୦ ଡ଼ଲାର କଞ୍ଚାତେଲ ମୂଲ୍ୟ ହ୍ରାସ ଭାରତୀୟ ବଜାରରେ ପେଟ୍ରୋଲ ଡ଼ିଜେଲ ମୂଲ୍ୟକୁ ୨୫% ପର୍ଯ୍ୟନ୍ତ କମ୍ କରିପାରିବ। ମାତ୍ର ଏହାର ଏହାର ସବୁ ଲାଭ କମ୍ପାନୀ ଓ ସରକାର ପାଇଛନ୍ତି।
ସମ୍ପ୍ରତି ଅଶୋଧିତ ତେଲ ଉତ୍ପାଦକଙ୍କ ସଂଗଠନ ଓପେକ୍ ରାଷ୍ଟ୍ର ସମୂହ ଅଶୋଧିତ କଞ୍ଚା ତେଲ ଉତ୍ପାଦନ ବୃଦ୍ଧି ଘୋଷଣା ଯୋଗୁଁ ପୁଣି ଅଶୋଧିତ ତୈଳ ଦର ହ୍ରାସ ପାଇବାର ସମ୍ଭାବନା ରହିଛି। ଚଳିତ ଜୁଲାଇ ଶେଷ କିମ୍ବା ଅଗଷ୍ଟ ମାସରେ ଉପସାଗରୀୟ ଦେଶଗୁଡ଼ିକର ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ପ୍ରତି ବ୍ୟାରେଲ ପାଖାପାଖି ୧୦ ଡଲାର ପର୍ଯ୍ୟନ୍ତ ହ୍ରାସ କରିବାକୁ ଯୋଜନା କରିଛନ୍ତି। ବଜାର ବିଶେଷଜ୍ଞଙ୍କ କହିବାନୁଯାୟୀ ଯୋଗାଣରେ ବୃଦ୍ଧି ଯୋଗୁଁ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି। ଗୋଟିଏ ପଟେ ଆମେରିକା ଯୋଗାଣ ବୃଦ୍ଧି କରିଛି। ଅନ୍ୟପଟେ ଓପେକ୍ ପ୍ଲସ୍ ସଦସ୍ୟ ରାଷ୍ଟ୍ରମାନଙ୍କ ପକ୍ଷରୁ ଯୋଗାଣ ଜାରି ରହିଛି। ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ, ହର୍ମୁଜ୍ ସଙ୍କଟ ମଧ୍ୟ ଟଳିଯାଇଛି। ଏହାସହିତ ଯୋଗାଣରେ କୌଣସି ବାଧା ସୃଷ୍ଟି ହେବାର ସମ୍ଭାବନା ନାହିଁ। ଯାହା ଫଳରେ ତୈଳ ମୂଲ୍ୟ ପ୍ରାୟ ୧୫% କମିବ ବୋଲି ଆଶା କରାଯାଉଛି। ମାତ୍ର ଭାରତର ଖାଉଟିମାନଙ୍କ ପାଇଁ ଏହି ଲାଭ ମିଳିବ କି ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି।