ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ IED ବ୍ଲାଷ୍ଟ, ଯବାନ ଗୁରୁତର

ଝାଡ଼ଖଣ୍ଡ: ସର୍ଚ୍ଚ ଅପରେସନ ବେଳେ IED ବ୍ଲାଷ୍ଟ, ଯବାନ ଗୁରୁତର । ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ଘଞ୍ଚ ସରଣ୍ଡା ଜଙ୍ଗଲରେ ଘଟିଛି ଏପରି ଅଘଟଣ । ମାଓବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନ୍ ସମୟରେ ଏକ ଲ୍ୟାଣ୍ଡମାଇନ୍ ବା ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ବିସ୍ଫୋରଣ ଘଟି ଜଣେ ସିଆରପିଏଫ୍ (CRPF) ଯବାନ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଝାଡଖଣ୍ଡ ପଶ୍ଚିମ ସିଂହଭୂମର ଘଞ୍ଚ ସରଣ୍ଡା ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀମାନଙ୍କୁ ଧରିବା ପାଇଁ ସୁରକ୍ଷା କର୍ମୀଙ୍କ ଦ୍ୱାରା ଏକ ସର୍ଚ୍ଚ ଅପରେସନ୍ ଚାଲିଥିଲା। ପାଟ୍ରୋଲିଂ ଟିମ୍ ଯାଉଥିବା ରାସ୍ତାରେ ମାଓବାଦୀମାନେ ପୂର୍ବରୁ ଏକ ପ୍ରେସର ଆକ୍ଟିଭେଟେଡ୍ ଆଇଇଡି ଖଞ୍ଜିଥିଲେ। ଯବାନ ଜଣକ ଭୁଲବଶତଃ ତାହା ଉପରେ ପାଦ ଦେଇଦେବାରୁ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା। ବ୍ଲାଷ୍ଟ୍ ଫଳରେ ଅନୁଜ କୁମାର କୋବ୍ରା ବାଟାଲିୟନ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଆହତ ଅନୁଜଙ୍କ ଗୋଡ଼ ଛିଣ୍ଡି ଯାଇଛି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ତୁରନ୍ତ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଛି ଏବଂ ସେଠାରେ ଥିବା ଏକ ସ୍ୱତନ୍ତ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଚଳିତ ବର୍ଷ ଜାନୁଆରୀ ମାସରେ ସୁରକ୍ଷା କର୍ମୀମାନେ ଏକ ବଡ଼ ଅପରେସନରେ ୧୭ ଜଣ ମାଓବାଦୀଙ୍କୁ ନିପାତ କରିଥିଲେ, ଯାହା ମାଓ ସଂଗଠନ ପାଇଁ ଏକ ବଡ଼ ଝଟକା ଥିଲା। ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ, ଏହାର ପ୍ରତିଶୋଧ ନେବା ପାଇଁ ମାଓବାଦୀମାନେ ଜଙ୍ଗଲ ରାସ୍ତାରେ ବହୁ ସଂଖ୍ୟାରେ ଆଇଇଡି ବିଛାଇଛନ୍ତି। 

ସୋମବାର ଘଟିଥିବା ଏହି ବିସ୍ଫୋରଣ ପରେ ଚାଇବାସା ଏବଂ ଆଖପାଖ ନକ୍ସଲ ପ୍ରଭାବିତ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ସୁରକ୍ଷା କର୍ମୀମାନେ ଏରିଆ ଡୋମିନେସନ୍ ଏବଂ ଲୁକ୍କାୟିତ ବିସ୍ଫୋରକକୁ ଖୋଜି ନଷ୍ଟ କରିବା ପାଇଁ ସର୍ଚ୍ଚ ଅପରେସନ୍ ଜୋରଦାର କରିଛନ୍ତି। ଅଧିକାରୀଙ୍କ କହିବା ଅନୁଯାୟୀ, କ୍ଷୟକ୍ଷତି କମାଇବା ସହ ମାଓବାଦୀଙ୍କ ସଂଗଠନକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ଦିଗରେ ଏହି ଆଣ୍ଟି-ନକ୍ସଲ ଅପରେସନ୍ ନିରନ୍ତର ଜାରି ରହିବ।

About The Author: Madhusudan Das