ବେଜିଂ: କରୋନା ମହାମାରୀର ୫ ବର୍ଷ ପରେ ପୁଣି ଚୀନ୍ ଭୟ ସୃଷ୍ଟି କରିଛି। ଏହି ଦେଶରେ ଆଉ ଏକ ନୂଆ ଭୂତାଣୁ ବ୍ୟାପିବାରେ ଲାଗିଛି। ଏହାର ନାମ ‘ହ୍ୟୁମାନ ମେଟାନ୍ୟୁମୋଭାଇରସ’ (ଏଚ୍ଏମ୍ପିଭି)। ଏହା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ହସ୍ପିଟାଲଗୁଡିକ ଫୁଲ୍ ହୋଇଯାଇଛି। ମୃତ୍ୟୁସଂଖ୍ୟା ବଢ଼ିବାରୁ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଗହଳି ଲାଗିଛି। ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଚୀନ୍ରେ ଜରୁରୀକାଳୀନ ସ୍ଥିତି କାର୍ଯ୍ୟକାରୀ ହୋଇଥିବା ଦାବି କରାଯାଉଛି। ତେବେ ଏ ନେଇ ଚୀନ୍ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।
ଲୋକେ ଏହାକୁ କରୋନା-୨ ବୋଲି କହୁଛନ୍ତି। ଏଚଏମ୍ପିଭି ସଂକ୍ରମିତଙ୍କଠାରେ ଫ୍ଲୁ ଭଳି ଲକ୍ଷଣ ଦେଖାଯାଉଛି। କରୋନା ଭଳି ଜ୍ବର ଆସୁଥିବା କୁହାଯାଉଛି। ସ୍ବାସ୍ଥ୍ୟା ଅଧିକାରୀ ସ୍ଥିତି ଉପରେ ନଜର ରଖିଛନ୍ତି। ଆଉ କିଛି ରିପୋର୍ଟରେ ଚୀନ୍ରେ ଅନେକ ଭୂତାଣୁ ବ୍ୟାପିଥିବା କୁହାଯାଇଛି। ଏହା ମଧ୍ୟରେ ଇନ୍ଫ୍ଲୁଏଞ୍ଜା-ଏ, ଏଚଏମପିଭି, ମାଇକୋପ୍ଲାଜମା ନିମୋନିଆ ଏବଂ କରୋନା ସାମିଲ ରହିଛି। ଏହା ବିଶେଷ କରି ଶିଶୁଙ୍କୁ ପ୍ରଭାବିତ କରୁଛି।