ମୁମ୍ବାଇ: ନିର୍ବନ୍ଧର ୬ମାସ ପରେ ଅଲଗା ହେଲେ ପୃଥ୍ୱୀ ଶ' ଏବଂ ଆକୃତି ଅଗ୍ରୱାଲ । ଭାରତୀୟ କ୍ରିକେଟର ପୃଥ୍ୱୀ ଶ' ଏବଂ ଇନଫ୍ଲୁଏନ୍ସର ତଥା ଅଭିନେତ୍ରୀ ଆକୃତି ଅଗ୍ରୱାଲ ନିଜର ନିର୍ବନ୍ଧ ଭାଙ୍ଗିଛନ୍ତି। ମାର୍ଚ୍ଚ ୨୦୨୬ରେ ନିଜ ସମ୍ପର୍କ ବିଷୟରେ ଘୋଷଣା କରିବାର ମାତ୍ର କିଛି ମାସ ପରେ ଉଭୟ ଅଲଗା ହେବା ନେଇ ନିଷ୍ପତ୍ତି ନେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଉଭୟଙ୍କ ପ୍ରଶଂସକମାନେ ନିରାଶ ହୋଇଛନ୍ତି।
ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟେଟମେଣ୍ଟ ସେୟାର କରି ଆକୃତି ଅଗ୍ରୱାଲ ଏହି ବ୍ରେକଅପ୍ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଭବିଷ୍ୟତର ଲକ୍ଷ୍ୟ ଏବଂ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ନିଜର ଏହି ଭାବପ୍ରବଣ ନୋଟରେ ସେ ଦର୍ଶାଇଛନ୍ତି ଯେ ଉଭୟ ପରସ୍ପରକୁ ବହୁତ ସମ୍ମାନ କରୁଥିଲେ ମଧ୍ୟ ସେମାନଙ୍କ ରାସ୍ତା ଏବେ ଅଲଗା ହୋଇଯାଇଛି। ଏଥିସହ ସେ ପ୍ରଶଂସକ ଏବଂ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ଯେ ଏହି ପ୍ରସଙ୍ଗରେ କୌଣସି ଗୁଜବ କିମ୍ବା ନକାରାତ୍ମକ କଥା ପ୍ରସାରଣ ନକରି ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦିଅନ୍ତୁ।
ଗତ କିଛି ମାସ ଧରି ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଥିଲା। ବିଶେଷକରି ଯେତେବେଳେ ଆକୃତି 'ଆନୁଗତ୍ୟ' ବା ଲୟାଲିଟି ଉପରେ ଏକ କ୍ରିପ୍ଟିକ୍ ପୋଷ୍ଟ ସେୟାର କରିଥିଲେ, ସେତେବେଳେ ବ୍ରେକଅପ୍ ନେଇ ଚର୍ଚ୍ଚା ଜୋର ଧରିଥିଲା। ଯଦିଓ ସେତେବେଳେ ସେ ଏହାକୁ ଏକ ଭୁଲ ବୁଝାମଣା ବୋଲି କହିଥିଲେ, କିନ୍ତୁ ବର୍ତ୍ତମାନର ଘୋଷଣା ସବୁକିଛି ସ୍ପଷ୍ଟ କରିଦେଇଛି। ଗଣେଶ ବିସର୍ଜନ ସମୟରେ ମଧ୍ୟ ସେ ନିଜର ବ୍ୟକ୍ତିଗତ ବିକାଶ ଉପରେ ଧ୍ୟାନ ଦେଉଥିବା ନେଇ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ପୋଷ୍ଟ କରିଥିଲେ। ଅନ୍ୟପକ୍ଷରେ, ବ୍ରେକଅପ୍ ଘୋଷଣା ପରେ ଉଭୟ ନିଜ ନିଜର ସୋସିଆଲ ମିଡିଆ ପ୍ରୋଫାଇଲରୁ ଅନେକ ଫଟୋ ହଟାଇ ଦେଇଛନ୍ତି। ଆକୃତି ତାଙ୍କ ନିର୍ବନ୍ଧର ସମସ୍ତ ଫଟୋ ଡିଲିଟ୍ କରିଥିବା ବେଳେ ପୃଥ୍ୱୀ ଶ' ନିଜ ପ୍ରୋଫାଇଲରୁ ୨୦୧୬ ମସିହାର ଗୋଟିଏ ପୋଷ୍ଟକୁ ଛାଡି ବାକି ସବୁ ପୋଷ୍ଟ ଡିଲିଟ୍ କରିଦେଇଛନ୍ତି।