ନୂଆଦିଲ୍ଲୀ: ଦେଶ ଦେଖୁଛି ୫ ଟ୍ରିଲିଅନ ଅର୍ଥନୀତିର ସ୍ୱପ୍ନ। ଦେଶର ବୈଦେଶିକ ଭଣ୍ଡାର ସହ ଦେଶର ଅର୍ଥନୀତି ବଢ଼଼ୁଛି। ବିକାଶର ଅର୍ଥନୀତିକୁ ନେଇ ଅନେକ ଗୋଲାପୀ ଚିତ୍ର ଦେଖାଉଛନ୍ତି କେନ୍ଦ୍ର ସରକାର। ମାତ୍ର ବାସ୍ତବତାକୁ ଦେଖିଲେ ସ୍ଥିତି ଠିକ୍ ବିପରୀତ। ପର୍ବତ ପ୍ରମାଣ ଋଣ ଚାପରେ ନଇଁ ଗଲାଣି ଦେଶର ଆର୍ଥକ ସ୍ଥିତି। ଗତ ୬ ବର୍ଷ ମଧ୍ୟରେ ଦେଶର ଋଣ ପରିମାଣ ଦୁଇଗୁଣରେ ପହଞ୍ଚିଛି। ୨୦୧୮-୧୯ ବର୍ଷ ଶେଷ ସୁଦ୍ଧା ଦେଶର ଋଣ ଭାର ୯୩.୨୬ ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ୧୭୧.୭୮ ଲକ୍ଷ କୋଟିରେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ୧୮୫.୨୭ ଲକ୍ଷ କୋଟି ଛୁଇଁବ ବୋଲି କେନ୍ଦ୍ର ସରକାର ଆକଳନ କରିଛନ୍ତି।
ଦେଶରେ ଜିଏସ୍ଟି ପ୍ରଚଳନ ପରେ ରାଜକୋଷକୁ ବିପୁଳ ରାଜସ୍ୱ ଆସୁଛି। ଆୟକରଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବିଭିନ୍ନ ସରକାରୀ ସଂସ୍ଥାକୁ ଇତିମଧ୍ୟରେ ବିକ୍ରୟ କରାଯାଇଛି। ଅନେକ ଯୋଜନା ବନ୍ଦ କରାଯାଇଛି। ଏହା ସତ୍ତ୍ବେ ଦେଶର ଋଣ ଭାର ବଢ଼଼ିବଢ଼଼ି ଚାଲିଛି। ୨୦୧୩-୧୪ରେ ଦେଶର କରଜ ପରିମାଣ ମୋଟ ଜିଡିପିର ୪୮.୮ ପ୍ରତିଶତ ରହିଥିଲା; ୨୦୨୩-୨୪ରେ ଏହି କରଜ ପରିମାଣ ଜିଡିପିର ୫୮.୨ପ୍ରତିଶତରେ ପହଞ୍ଚିଛି ଓ ଚଳିତ ଆର୍ଥିକ ବର୍ଷରେ ଏହା ସାମାନ୍ୟ ହ୍ରାସ ପାଇ ୫୬.୮ ପ୍ରତିଶତ ହେବ ବୋଲି କେନ୍ଦ୍ର ସରକାର ଆକଳନ କରିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶର ଋଣ ପରିମାଣ ବୃଦ୍ଧି ପାଇଁ ସରକାର କୋଭିଡ଼ ମହାମାରୀକୁ ଦାୟୀ କରିଛନ୍ତି। ଲୋକସଭାରେ କଂଗ୍ରେସ ସାଂସଦ ମନୀଶ ଚୌଧୁରୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧାରୀ କୋଭିଡ଼ ଯୋଗୁଁ କରଜ ବୃଦ୍ଧି ପାଇଥିବା ଉତ୍ତର ରଖିଛନ୍ତି। ମାତ୍ର କୋଭିଡ଼ ପୂର୍ବରୁ ଦେଶର ଋଣ କାହିଁକି ବଢ଼଼ି ଚାଲିଥିଲା ଏ ସମ୍ପର୍କରେ ସେ ସ୍ପଷ୍ଟ କରିନାହାନ୍ତି। ୨୦୧୮-୧୯ରେ ଦେଶ ଉପରେ ୯୩.୨୬ ଲକ୍ଷ କୋଟି କରଜ ଥିବାବେଳେ ପରବର୍ତ୍ତୀ ଆର୍ଥିକ ବର୍ଷରେ ଏହା ୧୦୫.୦୭ ଲକ୍ଷ କୋଟିରେ ପହଞ୍ଚିଥିଲା। ୨୦୨୧ ଆର୍ଥିକ ବର୍ଷ ଶେଷ ବେଳକୁ ଏହା ୧୨୧ କୋଟି ଅତିକ୍ରମ କରିଥିଲା ଓ ୨୦୨୩ ଆର୍ଥିକ ବର୍ଷରେ ଏହା ୧୫୬.୧୩ ଲକ୍ଷ କୋଟି ଏବଂ ଏବେ ଏହା ୧୮୫ କୋଟି ପାର କରିବ ବୋଲି କେନ୍ଦ୍ର ସରକାର ସଂସଦରେ ତଥ୍ୟ ରଖିଛନ୍ତି।