ନୂଆଦିଲ୍ଲୀ: ପୁଣି ଥରେ କରୋନା ଚିନ୍ତା ବଢାଇଥିବା ବେଳେ କରୋନାର ନୂଆ ଷ୍ଟ୍ରେନ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଦେଶରେ ୧୮୭ ଜଣଙ୍କ ଠାରୁ ବ୍ରିଟେନ ଷ୍ଟ୍ରେନ, ୬ ଜଣଙ୍କ ଠାରେ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ଏବଂ ବ୍ରାଜିଲର ଫେରନ୍ତା ଜଣଙ୍କ ଠାରେ ଏହି ନୂଆ ଷ୍ଟ୍ରେନର ଭୂତାଣୁ ଠାବ ହୋଇଥିବା ଜଣାପଡ଼ିଛି। ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପାଲ କହିଛନ୍ତି ଯେ, ଦେଶର ୧୦ ଟି ଲାବୋରେଟୋରୀରେ ଜିନୋମ ସିକ୍ୱେନ୍ସିଂ କରାଯାଉଛି। ଦେଶର ଯେଉଁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ଉକ୍ତ ରାଜ୍ୟଗୁଡିକର କେତେକ ଜିଲ୍ଲାରେ କରୋନା ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ସମାନ ଲକ୍ଷଣ ଦେଖାଯାଉଛି।
ଡକ୍ଟର ଭି.କେ ପାଲ କହିଛନ୍ତି ଯେ, ମହାରାଷ୍ଟ୍ର, କେରଳ ଏବଂ ତେଲେଙ୍ଗାନାରେ ନୂତନ ଭୂତାଣୁ ସୃଷ୍ଟି ହୋଇଛି। କିନ୍ତୁ ଏହା ଏପର୍ଯ୍ଯନ୍ତ ପ୍ରମାଣିତ ହୋଇନାହିଁ ଯେ କେଉଁ କାରଣରୁ ସଂକ୍ରମଣ ମାମଲା ବୃଦ୍ଧି ହେଉଛି । କରୋନାର ନୂତନ ରୂପ ଉପରେ ଡକ୍ଟର ପାଲ କହିଛନ୍ତି ଯେ, କରୋନା ଭୂତାଣୁ ଆମ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏହାର ସମାଧାନ ଦିଗରେ ନିରନ୍ତର ଗବେଷଣା ଚାଲିଛି।
୭୫% ମାମଲା କେରଳ ଏବଂ ମହାରାଷ୍ଟ୍ରରୁ ଆସୁଛି। ଅନ୍ୟପକ୍ଷରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଏକ ବୈଠକ ମଧ୍ଯ କରିଛନ୍ତି ମଙ୍ଗଳବାର ମହାରାଷ୍ଟ୍ରରୁ ପ୍ରାୟ ୬ ହଜାର ମାମଲା ଆସିଥିଲା। ଏଠାରେ ପୁଣି ଥରେ ଅନେକ ସ୍ଥାନରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି।
ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣର କାରଣ ଜାଣିବା ପାଇଁ ପୃଥକ ପୃଥକ ଦଳ କେନ୍ଦ୍ରରୁ ପଠାଯାଇଛି। ଏହି ଦଳ AIIMS, ICMR ଏବଂ ଅନ୍ୟାନ୍ୟ ଜାତୀୟ ଅନୁଷ୍ଠାନର ବିଶେଷଜ୍ଞମାନଙ୍କୁ ନେଇ ଗଠିତ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ସମସ୍ତ ଦଳକୁ ଯଥାଶୀଘ୍ର କରୋନା ସଂକ୍ରମଣର କାରଣ ଜାଣିବା ପାଇଁ କୁହାଯାଇଛି।