ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗତକାଲି ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ପ୍ରଥମ ଓ ଦ୍ବିତୀୟ ଅଭିଯୁକ୍ତ ଭାବେ ଦର୍ଶାଇଛି। ଏହାବ୍ୟତୀତ କଂଗ୍ରେସର ଦରିଆପାରି ସାଂଗଠନିକ ମୁଖ୍ୟ ସାମ୍ ପିଟ୍ରୋଡା ଏବଂ ସୁମନ ଦୁବେଙ୍କୁ ମଧ୍ୟ ଇଡି ଅଭିଯୁକ୍ତ ଭାବେ ଦର୍ଶାଇଛି। ଗତ ୯ ତାରିଖରେ ଦିଲ୍ଲୀସ୍ଥିତ ରାଉଜ୍ ଆଭେନ୍ୟୁ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ସ୍ବତନ୍ତ୍ର ବିଚାରପତି ଜଷ୍ଟିସ୍ ବିଶାଳ ଗୋଗନେ ଆସନ୍ତା ୨୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।
ସେପଟେ ଏହି ପ୍ରସଙ୍ଗକୁ ନେଇ ଆଜି ଦେଶବ୍ୟାପୀ ପ୍ରତିବାଦକୁ ଓହ୍ଲାଇବ କଂଗ୍ରେସ । କେନ୍ଦ୍ରୀୟ ଇଡି ଅଫିସ, ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ଇଡି ଅଫିସ ଆଗରେ ପ୍ରତିବାଦ କରିବ କଂଗ୍ରେସ । ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଇଡ଼ି ଅଫିସ ଘେରାଉ କରାଯିବା ସହ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ । ଏନେଇ ଦଳର ସମସ୍ତ ନେତୃବୃନ୍ଦଙ୍କ ସମେତ ଜିଲ୍ଲା କମିଟି ଓ କର୍ମୀଙ୍କୁ ଆହ୍ୱାନ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ୍ । ବର୍ତ୍ତମାନ ଦେଶରେ ଦୁର୍ନୀତି ଓ ଭଷ୍ଟ୍ରାଚାର ବିରୋଧରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତ୍ରୀବ ହେଉଛି, ଏହି ସ୍ୱରକୁ ଚାପିବାକୁ କେନ୍ଦ୍ରର ମୋଦୀ ସରକାର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ନ୍ୟାସନାଲ ହେରାଲ୍ଡ ମାମଲାକୁ ଅସ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଗତ ୧୧ ତାରିଖରେ ଇଡିନ୍ୟାସନାଲ ହେରାଲ୍ଡ ଅର୍ଥ ହେରଫେର ମାମଲା ସହ ଜଡ଼ିତ ଏବଂ ପୂର୍ବରୁ ଜବତ କରାଯାଇଥିବା ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡ (ଏଜେଏଲ)ର ସମ୍ପତ୍ତିଗୁଡିକୁ ଇଡି ନିଜ ଦଖଲକୁ ନେବାକୁ ପ୍ରକ୍ରିୟା ଆରମ୍ଭ କରିଥିଲା। ଏଥିପାଇଁ ଇଡି ପକ୍ଷରୁ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି କରାଯାଇଥିଲା। ଏହିକ୍ରମରେ ସୋନିଆ ଏବଂ ରାହୁଲଙ୍କ ଅଧୀନରେ ରହିଥିବା ସମ୍ପତ୍ତି ବ୍ୟତୀତ ଏଜେଏଲ୍ର ଯେଉଁସବୁ ସମ୍ପତ୍ତି ଦିଲ୍ଲୀ, ମୁମ୍ବାଇ ଓ ଲକ୍ଷ୍ନୌରେ ରହିଛି ତାହାକୁ ନିଜ ଦଖଲକୁ ନେବା ଲାଗି ଇଡି ପକ୍ଷରୁ ଏହିସବୁ ସହରର ପ୍ରପର୍ଟି ରେଜିଷ୍ଟ୍ରାରଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା। ଇଡି ପକ୍ଷରୁ ଏହି ପଦକ୍ଷେପ ନିଆଯିବା ପୂର୍ବରୁ ୯ ତାରିଖରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ, ଏଜେଏଲ କମ୍ପାନୀ ଦ୍ବାରା ନ୍ୟାସନାଲ ହେରାଲ୍ଡ ଖବର କାଗଜ ପ୍ରକାଶନ କରାଯାଉଥିଲା ବେଳେ ସୋନିଆ ଏବଂ ରାହୁଲଙ୍କ ଅଂଶୀଦାରରେ ରହିଥିବା ୟଙ୍ଗ ଇଣ୍ଡିଆ ଲିଃ( ୱାଇଆଇଏଲ) ଏହି କମ୍ପାନୀକୁ ମାତ୍ର ୫୦ ଲକ୍ଷ ଟଙ୍କା ବିନିମୟରେ ଅକ୍ତିଆର କରିଥିବା ଅଭିଯୋଗ ହୋଇଥିଲା। ଏଜେଏଲର ୨୦୦୦ କୋଟିର ସମ୍ପତ୍ତିକୁ ୟଙ୍ଗ ଇଣ୍ଡିଆ ଲି. ମାତ୍ର ୫୦ ଲକ୍ଷ ଟଙ୍କାରେ କିଣାଯାଇଥିବାରୁ ଏଥିରେ ପ୍ରବଳ ଘୋଟାଲା କରାଯାଇଛି ବୋଲି ଅଭିଯୋଗ କରି ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ପ୍ରଥମେ ଅଭିଯୋଗ ଆଣି ମାମଲା ରୁଜୁ କରିଥିଲେ। ସୋନିଆ , ରାହୁଲ ଗାନ୍ଧୀ ଏବଂ ସେମାନଙ୍କ ସହଯୋଗୀମାନେ ମାତ୍ର ୫୦ଲକ୍ଷ ଟଙ୍କା ବିନିମୟରେ ଏଜେଏଲର ୨ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ହଡପ କରିନେଇଥିବା ଅଭିଯୋଗ କରିଥିଲେ। ଏହାପରେ ଏହି ମାମଲାକୁ ନେଇ ଇଡି ଯାଞ୍ଚ କରିବା ପରେ ଏଜେଏଲ ସମ୍ପତ୍ତିକୁ ଉପଯୋଗ କରାଯାଇ ୯୮୮ କୋଟି ଟଙ୍କାର କଳା କାରବାର କରାଯାଇଥିବା ଜଣାପଡ଼ିଥିଲା। ପରେ ପରେ ଇଡି ୨୦ ନଭେମ୍ବର ୨୦୨୩ରେ ଏଜେଏଲର ସମ୍ପତ୍ତି ଆଟାଚ୍ କରିଥିଲା। ଜବତ ସମ୍ପତ୍ତିର ପରିମାଣ ପ୍ରାୟ ୭୫୧ କୋଟି ଟଙ୍କା ହେବ ବୋଲି କୁହାଯାଇଥିଲା। ତେବେ ଏଥିମଧ୍ୟରୁ ୬୬୧ କୋଟି ଟଙ୍କାର ସମ୍ପତ୍ତି ନିଜ ଆୟତ୍ତକୁ ନେବା ପାଇଁ ଇଡି ଗତ ୧୧ ତାରିଖରେ ପ୍ରକ୍ରିୟା ଆରମ୍ଭ କରିଥିଲା।