ଆଜି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ମତଦାନ କରିବେ ୯୮୦୦ ପ୍ରତିନିଧି, ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ମିଳିବ ଅଣଗାନ୍ଧୀ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଆଜି କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ୨୦୧୯ ଅଗଷ୍ଟରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ନୂଆ ଅଧ୍ୟକ୍ଷ ବାଛିବାକୁ ଦଳ ପକ୍ଷରୁ ଯେଉଁ ଦାବି କରାଯାଇ ଆସୁଥିଲା ତାହା ପ୍ରାୟ ୩ ବର୍ଷ ପରେ ପୂରଣ ହେବାକୁ ଯାଉଛି। ଯାହାକୁ ନେଇ ଦଳୀୟ କର୍ମୀ ଉତ୍ସାହିତ ରହିଛନ୍ତି ଏବଂ ଦଳ ମଧ୍ୟରେ ଅଧ୍ୟକ୍ଷ ନିର୍ବାଚନକୁ ନେଇ ରହିଆସିଥିବା ଦୀର୍ଘ ଅସନ୍ତାଷ ଦୂର […]

ନୂଆଦିଲ୍ଲୀ: ଆଜି କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ୨୦୧୯ ଅଗଷ୍ଟରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ନୂଆ ଅଧ୍ୟକ୍ଷ ବାଛିବାକୁ ଦଳ ପକ୍ଷରୁ ଯେଉଁ ଦାବି କରାଯାଇ ଆସୁଥିଲା ତାହା ପ୍ରାୟ ୩ ବର୍ଷ ପରେ ପୂରଣ ହେବାକୁ ଯାଉଛି। ଯାହାକୁ ନେଇ ଦଳୀୟ କର୍ମୀ ଉତ୍ସାହିତ ରହିଛନ୍ତି ଏବଂ ଦଳ ମଧ୍ୟରେ ଅଧ୍ୟକ୍ଷ ନିର୍ବାଚନକୁ ନେଇ ରହିଆସିଥିବା ଦୀର୍ଘ ଅସନ୍ତାଷ ଦୂର ହେବ ବୋଲି ଆଶା କରାଯାଉଛି। ତେବେ ନିର୍ବାଚନ ପରେ ଦଳର ଭିବଷ୍ୟତ କିଭଳ ରହିବ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ବିଶେଷକରି ଦଳର ଆଭିମୁଖ୍ୟ ଏବଂ ପରିଚାଳନାରେ କିଛି ପରିବର୍ତ୍ତନ ଆସିବ ନା ସେହି ପୁରୁଣା ଢଙ୍ଗରେ ଦଳ ପରିଚାଳିତ ହେବ ତାହା କେବଳ ଦଳୀୟ ନେତା ବା କର୍ମୀ ନୁହେଁ, ବରଂ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି।

ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ପ୍ରାର୍ଥୀ ଚୟନ କ୍ଷେତ୍ରରେ ବହୁ ତର୍ଜମା ଏବଂ ଅଙ୍କକଷା ପରେ ଶେଷରେ ମଲ୍ଲିକାର୍ଜ୍ଜୁନ ଖଡଗେ ଏବଂ ଶଶୀ ଥରୁରଙ୍କ ଭଳି ଦୁଇ ବରିଷ୍ଠ ନେତା ନିର୍ବାଚନୀ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହୋଇଥିଲେ। ରାଜ୍ୟସଭା ନେତା ଏବଂ ଦୀର୍ଘ ୫୦ ବର୍ଷ ଧରି କଂଗ୍ରେସ ସହ ରହିଆସିଥିବା ୮୦ ବର୍ଷୀୟ ଖଡ୍‌ଗେଙ୍କ ଦଳ ପ୍ରତି ନିଷ୍ଠା ଓ ଆନୁଗତ୍ୟକୁ ନେଇ ତାଙ୍କ ପ୍ରତି ଦଳୀୟ ହାଇକମାଣ୍ଡଙ୍କ ଆଶୀର୍ବାଦ ରହିଛି। ତେଣୁ ତାଙ୍କ ପ୍ରତି ଯୁବ ଏବଂ ପ୍ରାପ୍ତ ବୟସ୍କ ନେତାଙ୍କ ସମର୍ଥନ ରହିବା ସ୍ବାଭାବିକ କଥା। କିନ୍ତୁ ତିନି ତିନିଥର ଲୋକସଭା ସାଂସଦ ରହି ଆସିଥିବା ୬୬ ବର୍ଷୀୟ ଅନ୍ୟତମ ବରିଷ୍ଠ ନେତା ଶଶୀ ଥରୁର ଏହି ନିର୍ବାଚନକୁ ନେଇ କିଛି ଭିନ୍ନ ଆଭିମୁଖ୍ୟ ରଖିଛନ୍ତି। କଂଗ୍ରେସ ୨୦୦୪ ଏବଂ ୨୦୦୯ରେ ଭଲ ପ୍ରଦର୍ଶନ କରିଥିଲା। ହେଲେ ୨୦୧୪ରେ ଦଳ ଯେଉଁ ପରିଣାମ ଭୋଗିଥିଲା ତାହା ଆଜି ମଧ୍ୟ ଚିନ୍ତାର କାରଣ ହୋଇଛି।

୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ମୋଦୀ ସରକାରକୁ ମାତ୍‌ ଦେବାକୁ ଦଳ ପଣ କରିଛି। ହେଲେ ଏଥିପାଇଁ ଦଳକୁ ତୃଣମୂଳ ସ୍ତରରୁ ସଶକ୍ତ କରିବା ସହିତ ଏକ ନୂଆ ରଣନୀତି ନେଇ କାର୍ଯ୍ୟ କରିବାକୁ ପଡ଼ିବ। ଏହାକୁ ଆୟୁଧ କରିଛନ୍ତି ଥରୁର୍‌। ତେଣୁ ଦଳୀୟ କର୍ମୀ ଓ ନେତା କ’ଣ ଚାହୁଁଛନ୍ତି ତାହା ନିର୍ବାଚନ ଫଳାଫଳରୁ ହିଁ ଜଣାପଡ଼ିବ ବୋଲି ଥରୁର କହିଛନ୍ତି। ଯଦିଓ ଖଡଗେଙ୍କ ସହ ତାଙ୍କର କୌଣସି ମତଭେଦ ନାହିଁ ଏବଂ ଦଳକୁ ମଜବୁତ କରିବା ହିଁ ଉଭୟଙ୍କ ଲକ୍ଷ୍ୟ ରହିଛି , ତେବେ ଦଳ ପରିଚାଳନା ଏବଂ ଭବିଷ୍ୟତ ପ୍ରସ୍ତୁତି ପାଇଁ ରଣନୀତି ଗ୍ରହଣ କରିବା କ୍ଷେତ୍ରରେ ଉଭୟଙ୍କ ମାନସିକତା ଭିନ୍ନ । ତେଣୁ ଦଳ ଯଦି ପାରମ୍ପରିକ ନୀତିରେ ପରିଚାଳିତ ହେବାକୁ ଚାହୁଁଥାଏ ତେବେ ଖଡଗେ ବିଜୟୀ ହେବେ। ଆଉ କିଛି ନୂଆ କରିବାକୁ ଥିଲେ କର୍ମୀମାନେ ତାଙ୍କୁ ବିଜୟୀ କରିବେ ବୋଲି ଥରୁର କହିଛନ୍ତି।

ତେବେ ଆଜି ସାରା ଦେଶରେ ଦଳର ୯୮୦୦ ପ୍ରତିନିଧି ହିଁ ଏହି ନିଷ୍ପତ୍ତି ନେବେ। ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ପକ୍ଷରୁ ୨୦୨୧ ଅକ୍ଟୋବର ରୁ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ସଦସ୍ୟ ଯୋଗାଡ଼ ଅଭିଯାନ ଚାଲିଥିଲା। ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୦ ନିୟୁତ କର୍ମୀ ଓ ସଦସ୍ୟ ଦଳରେ ସାମିଲ ହୋଇଥିଲା ବେଳେ ଏହାପରେ ନିର୍ବାଚନ ପାଇଁ ପ୍ରତିନିଧି ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି ପ୍ରତିନିଧିମାନେ ହିଁ ପରବର୍ତ୍ତୀ ଅଧ୍ୟକ୍ଷ ବାଛିବେ ଏବଂ ଦଳର ଭବିଷ୍ୟତ ନିର୍ଦ୍ଧାରଣ କରିବେ।

About The Author: The Sakala