ନୂଆଦିଲ୍ଲୀ: ଆରବ ସାଗରରେ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଏବଂ ଗୁଜରାଟ ଏଟିଏସ୍ (ATS) କୁ ଏକ ବଡ଼ ସଫଳତା ମିଳିଛି। ଏକ ମିଳିତ ଅପରେସନରେ ଏହି ଟିମ୍ ଏକ ବିଶାଳ ଆନ୍ତର୍ଜାତୀୟ ଡ୍ରଗ୍ସ ଚୋରାଚାଲାଣ ର୍ୟାକେଟର ପର୍ଦ୍ଦାଫାଶ କରିଛନ୍ତି। ଆରବ ସାଗରରୁ ପ୍ରାୟ ୫୨୬ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ କରାଯାଇଛି, ଯାହାର ଆନ୍ତର୍ଜାତୀୟ ବଜାର ମୂଲ୍ୟ ୩,୦୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।
ଗୁପ୍ତ ସୂଚନା ଆଧାରରେ ଗତ ସେପ୍ଟେମ୍ବର ୨୫ ତାରିଖରେ ଲାକ୍ଷାଦ୍ୱୀପର ପଶ୍ଚିମ ଦିଗରେ ଥିବା ଆରବ ସାଗରରେ ଏହି ଅପରେସନ କରାଯାଇଥିଲା। ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଗୁଜରାଟ ଏଟିଏସ୍ ମିଳିତ ଭାବେ ଏକ ସନ୍ଦିଗ୍ଧ ଇରାନୀ ଡଙ୍ଗାକୁ ପିଛା କରିଥିଲେ। ସମୁଦ୍ର ମଝିରେ ଏହି ଡଙ୍ଗାରୁ ବିପୁଳ ପରିମାଣର ହେରୋଇନ ଏବଂ ମେଥାମ୍ଫେଟାମାଇନ୍ ଭଳି ନିଶାଦ୍ରବ୍ୟ ଜବତ କରାଯାଇଥିଲା। ଏହି ଘଟଣାରେ ଡଙ୍ଗାରେ ଥିବା ୫ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି।
ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଜବତ ହୋଇଥିବା ଡଙ୍ଗା, ଗିରଫ ଅଭିଯୁକ୍ତ ଏବଂ ନିଶାଦ୍ରବ୍ୟକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ମୁମ୍ବାଇ ଅଣାଯାଇଛି। ସେଠାରେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ପକ୍ଷରୁ ସେମାନଙ୍କୁ ପଚରାଉଚରା କରାଯାଉଛି। ଏହି ସଫଳତା କେନ୍ଦ୍ର ସରକାରଙ୍କ 'ନିଶାମୁକ୍ତ ଭାରତ ଅଭିଯାନ'କୁ ଆହୁରି ମଜବୁତ କରିବ ବୋଲି ଆଇସିଜି କହିଛି। ଦେଶର ସାମୁଦ୍ରିକ ସୀମାକୁ ସୁରକ୍ଷିତ ରଖିବା ସହ ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବା ପାଇଁ ତଟରକ୍ଷୀ ବାହିନୀ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରାଯାଇଛି।