ନୂଆଦିଲ୍ଲୀ: ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଜଘନ୍ୟ କାଣ୍ଡ । ନିଜ ନିଜ ଭିତରେ ଝଗଡା କରି ତିନି ଜଣ ଚତୁର୍ଥ ଶ୍ରେଣୀ ଛାତ୍ର ମିଶି ଜଣେ ସହପାଠୀକୁ ଜ୍ୟୋମେଟ୍ରି କମ୍ପାସରେ ୧୦୮ ଥର ଆକ୍ରମଣ କରିଥିବାର ଖବର ସାମ୍ନାକୁ ଆସିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟ ପ୍ରଦେଶ ଇନ୍ଦୋରର ଏକ ବେସରକାରୀ ବିଦ୍ୟାଳୟରେ।
ସୂଚନା ଅନୁଯାୟୀ, ସ୍କୁଲର ଚତୁର୍ଥ ଶ୍ରେଣୀର ଏହି ଛାତ୍ରମାନଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏହାପରେ ସେମାନଙ୍କ ମଧ୍ୟରେ ମାରପିଟ୍ ମଧ୍ୟ ହୋଇଥିଲା। ଆଉ ଏଭଳି ସ୍ଥିତି ହୋଇଥିଲା ଯେ, ତିନି ଛାତ୍ର ମିଶି ଅନ୍ୟ ଜଣେ ଛାତ୍ରଙ୍କୁ ୧୦୮ ଥର ଜ୍ୟୋମେଟ୍ରି କମ୍ପାସରେ ଭୁଶି ଦେଇଥିଲେ। ପରେ ସ୍କୁଲରୁ ଭୟଭୀତ ଅବସ୍ଥାରେ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ ଛାତ୍ର। ଏହା ପରେ ଛାତ୍ରଙ୍କ ଅଭିଭାବକ ଏରୋଡ୍ରମ ଥାନା ପୋଲିସରେ ଏତଲା ଦେଇଥିଲେ।
ଅନ୍ୟପଟେ ଛାତ୍ରଙ୍କ ଅଭିଭାବକଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି। ପୀଡିତ ଛାତ୍ରଙ୍କ ମେଡିକାଲ ଯାଞ୍ଚ କରାଯାଇଛି। ଏହି ଘଟଣା ସହ ଜଡିତ ସମସ୍ତ ଛାତ୍ରଙ୍କ ବୟସ ୧୦ ବର୍ଷ ଥିବା ଏସ୍ପି ସୂଚନା ଦେଇଛନ୍ତି। ଅନ୍ୟପଟେ ଶିଶୁ କଲ୍ୟାଣ ସମିତି ଏହି ଘଟଣାକୁ ନେଇ ଉଦ୍ଗେବ ପ୍ରକାଶ କରିଛି।