ବେଜିଂ: ବିଶ୍ବରେ କର୍ତ୍ତୃତ୍ବ ଜାହିର କରିବା ପାଇଁ ଚୀନ୍ ନୂଆ ଚାଲ୍ ଚଳାଇଛି। ଏହି କମ୍ୟୁନିଷ୍ଟ ଦେଶ ଅନ୍ତର୍ଜାତୀୟ ବିବାଦର ସମାଧାନ ଲାଗି ନୂଆ ସଂଗଠନ ଗଠନ କରିଛି। ଏହାର ନାମ ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଫର୍ ମିଡିଏସନ (ଆଇଓଏମଇଡି) ରଖାଯାଇଛି। ଏହାକୁ ଅନ୍ତର୍ଜାତୀୟ କୋର୍ଟ (ଆଇସିଜେ) ଏବଂ ପରମାନେଣ୍ଟ କୋର୍ଟ ଅଫ୍ ଆର୍ବିଟେସନ ଭଳି ସଂସ୍ଥାର ବିକଳ୍ପ ଭାବେ ଉପସ୍ଥାପନ କରାଯାଇଛି। ଏହାକୁ ଚୀନ୍ର ଶକ୍ତି ପ୍ରଦର୍ଶନ ଭାବେ ମଧ୍ୟ ଦେଖାଯାଉଛି। ଆମେରିକା ଏବଂ ଜାତିସଂଘକୁ ଅଣଦେଖା କରିବା ପାଇଁ ଚୀନ୍ ଏଭଳି କୁଟୀଳ ଖେଳ ଖେଳିଥିବା କୁହାଯାଉଛି। କାରଣ ଆଇଓଏମଇଡି କାର୍ଯ୍ୟକ୍ରମରେ ୮୫ ଦେଶ ଏବଂ ପ୍ରାୟ ୨୦ ଅନ୍ତର୍ଜାତୀୟ ସଂଗଠନର ୪୦୦ ବଡ଼ ଅଧିକାରୀ ସାମିଲ ହୋଇଥିଲେ। ଏଗୁଡିକ ମଧ୍ୟରୁ ୩୩ ଦେଶ ତୁରନ୍ତ ସ୍ବାକ୍ଷର କରି ଆଇଓଏମଇଡିର ପ୍ରତିଷ୍ଠାତା ସଦସ୍ୟ ହୋଇଛନ୍ତି। ଚୀନ୍ର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଏହାକୁ ମଧ୍ୟସ୍ଥତା ମାଧ୍ୟମରେ ଅନ୍ତର୍ଜାତୀୟ ବିବାଦର ସମାଧାନ କରୁଥିବା ବିଶ୍ବର ପ୍ରଥମ ‘ଆନ୍ତଃ ସରକାରୀ ଆଇନଗତ ସଗଂଠନ’ କହିଛି। ତେବେ ଆମେରିକା ଏହାକୁ ତୀବ୍ର ବିରୋଧ କରିଛି। ଏସିଆର ସନ୍ତୁଳନ ବିଗାଡିବାକୁ ଚୀନ୍ ପ୍ରୟାସ କରୁଛି ବୋଲି ଆମେରିକା ଅଭିଯୋଗ କରିଛି।
ହଂକଂରେ ଆୟୋଜିତ ଏକ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ ଚୀନ୍ ବିଦେଶମନ୍ତ୍ରୀ ୱାଙ୍ଗ ୟି ଆଇଓଏମଇଡିର ପ୍ରତିଷ୍ଠାକୁ ଔପଚାରିକ ଭାବେ ଉଦ୍ଘାଟନ କରିଥିଲେ। ଇଣ୍ଡୋନେସିଆ, ପାକିସ୍ତାନ, ବେଲାରୁଷ, କ୍ୟୁବା ଏବଂ କମ୍ବୋଡିଆ ସହିତ ୩୩ ଦେଶର ଏହାର ପ୍ରତିଷ୍ଠାତା ସଦସ୍ୟ ହୋଇଥିଲେ। ଏହି ସଂଗଠନର ମୁଖ୍ୟାଳୟ ହଂକଂରେ ରହିବ। ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ବିବାଦର ସମାଧାନ କିପରି ଶାନ୍ତିପୂର୍ଣ୍ଣ ଭାବରେ କରାଯାଇପାରିବ ହଂକଂ ତାହାର ଉଦାହରଣ। ଚୀନ୍ ଯୁଦ୍ଧ ଦ୍ବାରା ନୁହେଁ, ଆଲୋଚନା ଏବଂ ବୁଝାମଣା ମାଧ୍ୟମରେ ବିଶ୍ୱର ସମସ୍ୟାର ସମାଧାନ କରିବାକୁ ଚାହୁଁଛି। ‘ତୁମେ ହାରିବ, ମୁଁ ଜିତିବି’ ଚିନ୍ତାଧାରାକୁ ଏହା ଛାଡିବାରେ ସାହାଯ୍ୟ କରିବ। ଦେଶ ଏବଂ ଅନ୍ୟ ଦେଶର ନାଗରିକଙ୍କ ମଧ୍ୟରେ କିମ୍ବା ଅନ୍ତର୍ଜାତୀୟ ବ୍ୟବସାୟୀକ ସଂଗଠନ ମଧ୍ୟରେ ବିବାଦର ସମାଧାନ କରିବା ଏହାର ଉଦ୍ଦେଶ୍ୟ । କେବଳ ମଧ୍ୟସ୍ଥତା ମାଧ୍ୟମରେ ଅନ୍ତର୍ଜାତୀୟ ବିବାଦର ସମାଧାନ ପାଇଁ ଏହାକୁ ଗଠନ କରାଯାଇଛି। ସେହିପରି ହଂକଂ ସରକାରର ମୁଖ୍ୟ ଜନ୍ ଲି କହିଛନ୍ତି ଯେ ଶୀଘ୍ର ଏବଂ ଭରସାଯୋଗ୍ୟ ସମାଧାନ ଦେବା ପାଇଁ ତାଙ୍କ ସରକାର ଆଇଓଏମଇଡିକୁ ସବୁ ପ୍ରକାରର ସମର୍ଥନ କରିବ।
ଅନ୍ୟପକ୍ଷରେ ଆମେରିକା ଚୀନ୍ର ଏଭଳି ପଦକ୍ଷେପକୁ ନେଇ ଚିନ୍ତିତ ହୋଇପଡ଼ିଛି। ଏହି ଦେଶ ଏସିଆରେ କ୍ଷମତାର ସନ୍ତୁଳନ ବିଗାଡିବାକୁ ପ୍ରୟାସ କରୁଛି ବୋଲି ପ୍ରତିରକ୍ଷାମନ୍ତ୍ରୀ ପିଟ୍ ହେଗ୍ସେଥ୍ କହିଛନ୍ତି। ସେ ସିଙ୍ଗାପୁରରେ ଜାରି ସାଙ୍ଗରି-ଲା ଡାଏଲଗରେ ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଚୀନ୍ ୨୦୨୭ ସୁଦ୍ଧା ତାଇୱାନ ଉପରେ ଆକ୍ରମଣ କରିପାରେ। ଚୀନ୍ ଯଦି ଜବରଦସ୍ତି ତାଇୱାନକୁ କବ୍ଜା କରେ ତେବେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ସମ୍ପୂର୍ଣ୍ଣ ବିଶ୍ବ ଉପରେ ଏହାର ଅତ୍ୟନ୍ତ ଖରାପ ପ୍ରଭାବ ପଡ଼ିବ। ସେ ଚୀନ୍ ଉପରେ ଗୁରୁତର ଅଭିଯୋଗ ଲଗାଇଛନ୍ତି। ଚୀନ୍ ପଡୋଶୀଙ୍କୁ ଭୟଭୀତ କରିବାରେ ଲାଗିଛି। ପଡୋଶୀ ରାଷ୍ଟ୍ର ଉପରେ ସାଇବର ଆକ୍ରମଣ ଏବଂ ଦକ୍ଷିଣ ଚୀନ୍ ସାଗରକୁ ବେଆଇନ ଭାବେ କବ୍ଜା କରୁଛି। ତାଇୱାନ ଚାରିପାଖରେ କ୍ରମାଗତ ଭାବେ ଯୁଦ୍ଧାଭ୍ୟାସ ମଧ୍ୟ କରୁଛି। ଏଥିରୁ ଚୀନ୍ କୌଣସି ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଥିବା ମନେ ହେଉଛି। ଚୀନ୍ ଠାରୁ ବିପଦ ବାସ୍ତବ ଏବଂ ଏହା ଯେକୌଣସି ସମୟରେ ସାମ୍ନାକୁ ଆସିପାରେ। ହେଗସେଥ୍ ଦାବି କରିଛନ୍ତି ଯେ ଚୀନ୍ର ଲକ୍ଷ୍ୟ ୨୦୭ସୁଦ୍ଧା ତାଇୱାନକୁ କବ୍ଜା କରିବା। କିନ୍ତୁ ଏପରି ହେବାକୁ ଦେବୁନାହିଁ। ଆମେରିକା ଏବଂ ଏହାର ସହଯୋଗୀମାନେ ମିଳିତ ଭାବରେ ଚୀନ୍ର ଆକ୍ରମଣର ମୁକାବିଲା କରିବେ। ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ ଚୀନ୍କୁ ରୋକିବା ପାଇଁ ବାଣିଜ୍ୟ ଏବଂ ପ୍ରତିରକ୍ଷା ଉଭୟ ମୋର୍ଚ୍ଚାରେ କାମ କରୁଛି। ଆମେରିକା ଏହି ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ସୁରକ୍ଷା ଚାହୁଁଛି।
ଆମେରିକା ଏହାର ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସହଯୋଗୀଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି। ଏହି ରାଷ୍ଟ୍ରଙ୍କ ସହାୟତାରେ ଆମେରିକା ଏହି ଅଞ୍ଚଳକୁ ଅଧିକ ଧ୍ୟାନ ଦେବ। ଆମେରିକା ଏବଂ ଏହାର ସହଯୋଗୀଙ୍କ ସୁରକ୍ଷା ଓ କଲ୍ୟାଣ ପରସ୍ପର ସହିତ ଜଡିତ। ଟ୍ରମ୍ପ ୟୁରୋପୀୟ ଦେଶଗୁଡ଼ିକୁ ନିଜ ସୁରକ୍ଷା ଦାୟିତ୍ବ ନିଜେ ନିଅନ୍ତୁ ବୋଲି କହିଛନ୍ତି। ଏପରି କରି ଆମେରିକା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଅଧିକ ସମ୍ବଳ ବିନିଯୋଗ କରିବ। ଏହି ସମ୍ମିଳନୀକୁ ଉଦ୍ଘାଟନ କରି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଚୀନ୍ ଏବଂ ରୁଷ୍କୁ ତୀବ୍ର ସମାଲୋଚନା କରିଥିଲେ। କିଛି ଦେଶ ଜୋର ଜବରଦସ୍ତି ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ।