ନୂଆଦିଲ୍ଲୀ: ଆତଙ୍କବାଦକୁ ଦୃଢ ନିନ୍ଦା କରିବା ସହିତ ଆତଙ୍କବାଦୀଙ୍କ ପ୍ରତି ଫତୱା ଜାରି କରିଛନ୍ତି ଅଖୀଳ ଭାରତ ଇମାମ୍ ସଂଗଠନର ମୁଖ୍ୟ ଇମାମ୍ ଡକ୍ଟର ଉମର ଅହମ୍ମଦ ଇଲିୟାସୀ। ମୃତ ଆତଙ୍କବାଦୀଙ୍କୁ ଭାରତ ମାଟିରେ କବର ଦିଆଯିବ ନାହିଁ ବୋଲି ଇଲିୟାସୀ କହିଛନ୍ତି। ଏହାବ୍ୟତୀତ ଇସଲାମିକ ପରମ୍ପରା ଅନୁସାରେ ଜଣଙ୍କ ଶେଷକୃତ୍ୟ ବେଳେ ନମାଜ ପାଠ କରାଯିବାର ବିଧାନ ରହିଥିଲା ବେଳେ କୌଣସି ଆତଙ୍କବାଦୀଙ୍କ ଶେଷକୃତ୍ୟରେ ଏହା କରାଯିବ ନାହିଁ ବୋଲି ସେ ଫତୱା ଜାରି କରି କହିଛନ୍ତି। ସେହିପରି ବହୁ ଆତଙ୍କବାଦୀ ସଂଗଠନ ସେମାନଙ୍କ ନାମରୁ ଇସଲାମ ଏବଂ ମହମ୍ମଦ ଭଳି ଶବ୍ଦ ହଟାନ୍ତୁ ବୋଲି ସେ କହିଛନ୍ତି।
ମଧ୍ୟପ୍ରଦେଶ ମନ୍ତ୍ରୀ ପ୍ରଧୁମନ ସିଂ ତୋମାରଙ୍କ ଝିଅ ବିବାହ ଉତ୍ସବରେ ଯୋଗ ଦେବା ଲାଗି ଇମାମ ଇଲିୟାସୀ ଶନିବାର ଗ୍ବାଲିୟର ଯାଇଥିଲା ବେଳେ ସେଠାରେ ତାଙ୍କୁ ବହୁ ଗଣମାଧ୍ୟମ ପ୍ରତିନିଧିମାନେ ଆତଙ୍କବାଦକୁ ନେଇ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ,ଇସଲାମକୁ ରକ୍ଷା କରିବା ଉଚିତ। ଇସଲାମ ସୁରକ୍ଷା ଏବଂ ଶାନ୍ତିର ଧର୍ମ। କିନ୍ତୁ ଇସଲାମ ଏବଂ ମହମ୍ମଦ ସାହେବଙ୍କ ନାମକୁ ଆମେ ଆତଙ୍କବାଦ ପାଇଁ ବ୍ୟବହାର କରିବାକୁ ଦେବୁ ନାହିଁ। ଏହି ସମୟରେ ସେ ଆତଙ୍କବାଦ ବିରୋଧରେ ଫତୱା ଜାରି କରିଥିଲେ। ଯାହା ଭାରତରେ ପ୍ରଥମ ଘଟଣା ଏବଂ ଏହା ବିଶ୍ୱସମାଜ ପାଇଁ ଏକ ବଡ଼ ବାର୍ତ୍ତା। ଅହମଦ ଇଲିୟାସୀକହିଛନ୍ତି ଯେ, ପହଲଗାମରେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଧର୍ମ ପଚାରି ଯେଭଳି ହତ୍ୟା କରାଯାଇଥିଲା ତାହା ମାନବତାର ହତ୍ୟା। ସେ କହିଥିଲେ ଯେ ଆତଙ୍କବାଦୀର କୌଣସି ଧର୍ମ ନାହିଁ । ଆତଙ୍କବାଦୀ ସୈତାନ, ସାମାନଙ୍କ ସହ ସୈତାନ ପରି ବ୍ୟବହାର କରାଯିବା ଉଚିତ ।
ସେଥିପାଇଁ ଆମେ ପହଲଗାମ ଆକ୍ରମଣ ଘଟଣାକୁ ବିରୋଧ କରି ଏହି ଫତୱା ଜାରି କରିଛୁ। ଅନ୍ୟପକ୍ଷରେ ବେଲୁଚିସ୍ତାନ ସ୍ଥିତିକୁ ନେଇ ପ୍ରଶ୍ନ କରାଯିବାରେ ସେ କହିଛନ୍ତି ଯେ ମୁସଲମାନ ସମ୍ପ୍ରଦାୟ ଭାରତର କୂଟନୀତି ଏବଂ ନୀତି ସହିତ ଅଛନ୍ତି। ବେଲୁଚିସ୍ତାନ ବହୁ ଦିନ ଧରି ସ୍ବତନ୍ତ୍ରତା ପାଇଁ ଦାବି କରିଆସୁଛି। କିନ୍ତୁ ପାକିସ୍ତାନ ବେଲୁଚବାସୀଙ୍କ ପ୍ରତି ଅନ୍ୟା କରିଚାଲିଛି। ହେଲେ ଏବେ ବେଲୁଚିସ୍ତାନ ସ୍ୱାଧୀନତା ପାଇବାର ସମୟ ଆସିଗଲାଣି। ସ୍ୱାଧୀନତା ସମସ୍ତଙ୍କର ଅଧିକାର, ବେଲୁଚିସ୍ତାନ ସ୍ୱାଧୀନ ହେବା ଉଚିତ ବୋଲି ଅହମଦ ଇଲିୟାସୀ କହିଥିଲେ। ସେହିପରି ୱାକଫ ଆଇନ ସମ୍ପର୍କରେ ନିଜ ମତ ରଖୀ ସେ କହିଛନ୍ତି ଯେ ଏହି ବିଷୟ ଏବେ ଅଦାଲତରେ ବିଚାରାଧୀନ ଅଛି। ତେବେ ଭାରତ ସରକାରଙ୍କ ଦ୍ୱାରା ଅଣାଯାଇଥିବା ନୂତନ ଆଇନ ଅନେକ ଦୃଷ୍ଟିରୁ ଭଲ ବୋଲି ସେ କହିଛନ୍ତି।