ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ଖରିଫ୍ ଫସଲ ଏମଏସପି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କ ସୂଚନା ଅନୁସାରେ ସରକାର ଧାନ, କପା, ସୋୟାବିନ୍ ଏବଂ ମଟର ସମେତ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ବୃଦ୍ଧି କରିଛନ୍ତି ।
ଧାନର ନୂତନ ସର୍ବନିମ୍ନ ସହାୟକ ମୂଲ୍ୟ ୨୩୬୯ ଟଙ୍କା ସ୍ଥିର ହୋଇଛି । ଯାହା ପୂର୍ବ ସର୍ବନିମ୍ନ ସହାୟକ ମୂଲ୍ୟ ଅପେକ୍ଷା ୬୯ ଟଙ୍କା ଅଧିକ। କପାର ନୂଆ ସର୍ବନିମ୍ନ ସହାୟକ ମୂଲ୍ୟ ୭,୭୧୦ ଟଙ୍କା ସ୍ଥିର କରାଯାଇଛି । କପାର ଆଉ ଏକ ପ୍ରକାରର ମଧ୍ୟ ଏମଏସପି ବୃଦ୍ଧି ହୋଇ ୮,୧୧୦ ଟଙ୍କା କରାଯାଇଛି । ଯାହା ପୂର୍ବ ଅପେକ୍ଷା ୫୮୯ ଟଙ୍କା ଅଧିକ। ତେବେ ଏମଏସପି ବୃଦ୍ଧି କାରଣରୁ ସରକାରଙ୍କ ଉପରେ ୨ ଲକ୍ଷ ୭ ହଜାର କୋଟି ଟଙ୍କାର ବୋଝ ପଡ଼ିବ। ଯାହା ପୂର୍ବ ଫସଲ ଋତୁ ତୁଳନାରେ ୭ ହଜାର କୋଟି ଟଙ୍କା ଅଧିକ ।
ଏଥର ୨୦୨୫-୨୬ ଖରିଫ ଋତୁ ପାଇଁ ଏମଏସପିକୁ କ୍ୟାବିନେଟ୍ ଅନୁମୋଦନ କରିଛି । ମୋଟ ବ୍ୟୟ ପରିମାଣ ପ୍ରାୟ ୨,୦୭,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପ୍ରତ୍ୟେକ ଫସଲ ପାଇଁ ଖର୍ଚ୍ଚ ସହିତ ୫୦ ପ୍ରତିଶତ ହିସାବରେ ନିଆଯାଇଛି ।