ନୂଆଦିଲ୍ଲୀ : ଅଗଷ୍ଟ ୨୩ କୁ ‘ଜାତୀୟ ମହାକାଶ ଦିବସ’ ଭାବରେ ପାଳନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଚନ୍ଦ୍ରପୃଷ୍ଠରେ ଭାରତ ‘ଚନ୍ଦ୍ରଯାନ-୩’ ଅବତରଣ କରାଇବାରେ ସଫଳ ହୋଇଥିବାରୁ ଅଗଷ୍ଟ ୨୩ ତାରିଖକୁ ‘ଜାତୀୟ ମହାକାଶ ଦିବସ’ ରୂପେ ପାଳନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ‘ଇସ୍ରୋ’ ବୈଜ୍ଞାନିକମାନଙ୍କୁ ଉଦ୍ବୋଧନ ଦେବା ବେଳେ ଗତ ଅଗଷ୍ଟ ୨୬ ତାରିଖରେ ଘୋଷଣା କରିଥିଲେ। ତେବେ ଆଜି ଏ ସମ୍ପର୍କରେ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି।
ମହାକାଶ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଅଗଷ୍ଟ ୨୩ ଚନ୍ଦ୍ରପୃଷ୍ଠରେ ଭାରତ ‘ଚନ୍ଦ୍ରଯାନ-୩’ ଅବତରଣ କରାଇବାରେ ସଫଳ ହୋଇଥିଲା। ଚନ୍ଦ୍ରରେ ଅବତରଣ କରିଥିବା ଚତୁର୍ଥ ରାଷ୍ଟ୍ର ଏବଂ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିବାରେ ପ୍ରଥମ ଦେଶ ହୋଇଥିଲା ଭାରତ। ଏହି ଏତିହାସିକ ମିଶନର ଫଳାଫଳ ଆଗାମୀ ବର୍ଷ ପାଇଁ ମାନବଜାତି ପାଇଁ ଲାଭଦାୟକ ହେବ।” । ଏଣୁ ଏହାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୨୩ରେ ପାଳନ ହେବ ‘ଜାତୀୟ ମହାକାଶ ଦିବସ’।
ଭାରତର ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡି କରିଥିଲା। ଅଗଷ୍ଟ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ‘ଇସ୍ରୋ’ ବୈଜ୍ଞାନିକମାନଙ୍କୁ ଉଦ୍ବୋଧନ ଦେଇ ବଧେଇ ଜଣାଇବା ସହ ଅଗଷ୍ଟ ୨୩ ତାରିଖକୁ ‘ଜାତୀୟ ମହାକାଶ ଦିବସ’ ରୂପେ ପାଳନ କରାଯିବା ନେଇ କହିଥିଲେ। ଏଥି ସହିତ ‘ଚନ୍ଦ୍ରଯାନ-୩’ର ‘ମୁନ୍ ଲାଣ୍ଡର୍’ ଚନ୍ଦ୍ରପୃଷ୍ଠର ଯେଉଁ ସ୍ଥାନରେ ଅବତରଣ କରିଛି ସେ ସ୍ଥାନର ନାଁ ‘ଶିବଶକ୍ତି’, ‘ଚନ୍ଦ୍ରଯାନ-୨’ ଚନ୍ଦ୍ରପୃଷ୍ଠର ଯେଉଁସ୍ଥାନରେ ‘କ୍ରାସ୍-ଲ୍ୟାଣ୍ଡିଙ୍ଗ୍ କରିଥିଲା ସେ ସ୍ଥାନର ନାଁ ‘ତିରଙ୍ଗା’ ହେବ ବୋଲି କହିଥିଲେ।