ନୂଆଦିଲ୍ଲୀ : ପତଞ୍ଜଳିର ଭ୍ରମାତ୍ମକ ବିଜ୍ଞାପନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବଡ଼ ଟିପ୍ପଣୀ ଦେଇଛନ୍ତି। ଆଇଏମଏ ପକ୍ଷରୁ ଦାଏର ମାମଲାର ବିଚାର କରି ଲୋକଙ୍କୁ ପ୍ରଭାବିତ କରିଥିବା କୌଣସି ଉତ୍ପାଦ କିମ୍ବା ସେବାର ବିଜ୍ଞାପନ ଭ୍ରମାତ୍ମକ ଜଣାପଡ଼ିଲେ ସେଲିବ୍ରିଟି ଏବଂ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ମଧ୍ୟ ସମାନ ଭାବେ ଦାୟୀ ହେବେ ବୋଲି ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ଖଣ୍ଡପୀଠ କହିଛନ୍ତି। କୌଣସି ବିଜ୍ଞାପନ ପ୍ରସାରଣ କରିବା ପୂର୍ବରୁ ଏକ ପ୍ରସାରଣକାରୀଙ୍କୁ ସ୍ବଘୋଷଣା ପତ୍ର ଦାଖଲ କରିବାକୁ ପଡ଼ିବ। ଏଥିରେ ବିଜ୍ଞାପନ ନିୟମକୁ ପାଳନ କରାଯାଉଛି ବୋଲି ଲେଖା ରହିବ। ଟିଭି ବ୍ରଡକାଷ୍ଟର୍ସ ଏହାକୁ ବ୍ରଡକାଷ୍ଟ ସର୍ଭିସ ପୋର୍ଟାଲରେ ଅପଲୋଡ କରିପାରିବେ।
ସେହିପରି ଛାପା ଗଣମାଧ୍ୟମ (ପ୍ରିଣ୍ଟ ମିଡିଆ) ପାଇଁ ଚାରି ସପ୍ତାହ ମଧ୍ୟରେ ଏକ ପୋର୍ଟାଲ ଆରମ୍ଭ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭ୍ରମାତ୍ମକ ବିଜ୍ଞାପନ ସମ୍ବନ୍ଧିତ ୨୦୨୨ର ମାର୍ଗଦର୍ଶିକା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ମାର୍ଗଦର୍ଶିକା ୧୩ରେ କୁହାଯାଇଛି ଯେ କୌଣସି ଉତ୍ପାଦର ପ୍ରଚାରପ୍ରସାର କରୁଥିବା ବ୍ୟକ୍ତି ସେହି ଉତ୍ପାଦ ବିଷୟରେ ସବିଶେଷ ସୂଚନା ଜାଣିବା ଦରକାର। ଏହା ଭ୍ରମାତ୍ମକ ନୁହେଁ ବୋଲି ସେ ସୁନିଶ୍ଚିତ କରିବା ଉଚିତ। ଖାଉଟିଙ୍କ ଅଭିଯୋଗ ରୁଜୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି। ଏହା ବ୍ୟତୀତ ଭ୍ରମାତ୍ମକ ବିଜ୍ଞାପନ ଉପରେ କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ କେନ୍ଦ୍ର ରାଜ୍ୟମାନଙ୍କୁ କାହିଁକି କହିଥିଲା ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି। ୨୦୨୩ରେ ଜାରି ଏକ ପତ୍ର ଉପରେ କୋର୍ଟ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ନିୟମ ୧୭୦ର କ୍ରିୟାନ୍ବୟନ ଉପରେ କଟକଣା ଲଗାଇ ଦିଆଯାଇଥିଲା। ଏହି ନିୟମ ବିରୋଧରେ ବିଭିନ୍ନ ହାଇକୋର୍ଟରେ ମାମଲା ଚାଲିଥିବାରୁ ସରକାର ପୁନର୍ବିଚାର କରୁଛନ୍ତି ବୋଲି ଖଣ୍ଡପୀଠଙ୍କୁ ଜଣା ଯାଇଥିଲା। ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏହି ସ୍ପଷ୍ଟୀକରଣରେ ସନ୍ତୋଷ ପ୍ରକାଶ କରି ନ ଥିଲେ। ଏହା ଉପରେ କୌଣସି ନିଷ୍ପତ୍ତି ନ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ କାହିଁକି ମନା କଲେ ବୋଲି ଜଷ୍ଟିସ ଅମାନୁଲ୍ଲାହ ପ୍ରଶ୍ନ କରିଥିଲେ।
ବିବାଦୀୟ ମନ୍ତବ୍ୟ ଦେବାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଆଇଏମଏ ଅଧ୍ୟକ୍ଷ ଡ.ଆରଭି ଅଶୋକନଙ୍କ ତୀବ୍ର ସମାଲୋଚନା କରିଛନ୍ତି। ତାଙ୍କୁ ଜବାବ ମାଗିଛନ୍ତି। କୋର୍ଟ କହିଛନ୍ତି ଯେ ବିରୋଧୀ ପକ୍ଷ ଲୋକଙ୍କୁ ଭ୍ରମରେ ପକାଉଛି ବୋଲି ଆଇଏମଏ ଅଭିଯୋଗ କରୁଛି। କିନ୍ତୁ ଆଇଏମଏ ନିଜେ କ’ଣ କରୁଥିଲା? ଆଇଏମଏ ଅଧ୍ୟକ୍ଷ ଗଣାମାଧ୍ୟମ ସାମ୍ନାକୁ ଯାଇ ମନ୍ତବ୍ୟ ଦେଉଛନ୍ତି। ଏହି ମାମଲାରେ ଆଇଏମଏ ଉପରେ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରାଯିବ। କୋର୍ଟ ଜଣଙ୍କ ପିଠି ଥାପୁଡେଇ ଅନ୍ୟକୁ ଭିନ୍ନ ଦୃଷ୍ଟିରେ ଚାହିଁବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।