ନୂଆଦିଲ୍ଲୀ : ପୃଥକ ପୃଥକ ବ୍ୟାଙ୍କ ଠକେଇ ଘଟଣାରେ ଗୁରୁବାର ଦେଶର ୧୧ଟି ରାଜ୍ୟରେ ସିବିଆଇ ଚଢ଼ଉ କରିଛି। ତଦନ୍ତକାରୀ ଏଜେନ୍ସି ପକ୍ଷରୁ ଦେଶର ଶହେଟି ସ୍ଥାନରେ ୩୭୦୦ କୋଟିରୁ ଅଧିକ ମୂଲ୍ୟର ବ୍ୟାଙ୍କ ଠକେଇ ଘଟଣାରେ ଏକକାଳୀନ ଭାବେ ଏହି ଚଢଉ କରାଯାଇଛି। ଏଥିରେ ସିବିଆଇ ପକ୍ଷରୁ ବ୍ୟାଙ୍କ ଠକେଇ ସମ୍ପର୍କିତ ୩୦ଟି ମାମଲା ରୁଜୁ କରାଯାଇଛି। ସିବିଆଇ ଗୁରୁବାର କାନପୁର, ଦିଲ୍ଲୀ, ଗାଜିଆବାଦ, ନୋଏଡା, ମଥୁରା, ଗୁରୁଗାଁଓ, ଚେନ୍ନଇ, ବେଙ୍ଗାଲୁରୁ, ହାଇଦରାବାଦ, କଲକାତା, ରାଜକୋଟ, ବିଶାଖାପାଟଣା, ଅହମ୍ମଦାବାଦ, ଭୋପାଳ ଏବଂ ମୁମ୍ବଇ ଆଦି ସ୍ଥାନରେ ଏହି ଚଢ଼ଉ ହୋଇଛି। ତେବେ ଦେଶର ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗକ୍ରମେ ଏକ ସ୍ବତନ୍ତ୍ର ଅଭିଯାନ ଜରିଆରେ ସିବିଆଇ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା।
ସିବିଆଇ ମୁଖପାତ୍ର ଆରସି ଯୋଶୀ କହିଛନ୍ତି, ଦେଶରେ ଥିବା ଏକାଧିକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଜାଲିଆତି ଚାଲିଥିବା ଅଭିଯୋଗ ମିଳିଛି। ତେଣୁ ଦୁର୍ନୀତିରେ ସଂପୃକ୍ତ ଥିବା ଲୋକଙ୍କୁ ଧରିବା ପାଇଁ ସିବିଆଇ ପକ୍ଷରୁ ବଡ଼ ଅପରେସନ ଆରମ୍ଭ କରାଯାଇଛି। ଅଭିଯୋଗ ଆସିଥିବା ବ୍ୟାଙ୍କଗୁଡ଼ିକ ମଧ୍ୟରେ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଆଇଡିବିଆଇ, କାନାରା ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ ଓ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ରହିଛନ୍ତି।