କୋଲକାତା: ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ। ଆଜି ଘଟଣାର ଶୁଣାଣି ସମୟରେ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଏହି ଘଟଣାର ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ସହ ଜଡିତ ସମସ୍ତ ଦଲିଲକୁ ତୁରନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିକୁ ହସ୍ତାନ୍ତର କରିବାକୁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ସିବିଆଇ ଏହି ଘଟଣାର ତଦନ୍ତ କରିବ। ତଦନ୍ତ କରି ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି।
ଅନ୍ୟପଟେ ଏହି ଘଟଣାର ଶୁଣାଣି ସମୟରେ ହାଇକୋର୍ଟ ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲଙ୍କ ପୁନଃ ନିଯୁକ୍ତିକୁ ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି ଯେ ଆରଜି କର ମେଡିକାଲ କଲେଜରୁ ସନ୍ଦୀପ ଘୋଷଙ୍କ ଇସ୍ତଫା ପରେ ତାଙ୍କୁ ପୁଣିଥରେ ସେହିଦିନ ଏକା ସମୟରେ ନ୍ୟାସନାଲ ମେଡିକାଲ କଲେଜରୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଯାହା ହେବା କଥା ନୁହେଁ। କାରଣ ‘‘ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ସମସ୍ତଙ୍କ ଦାୟିତ୍ବ ପ୍ରିନ୍ସିପାଲ୍ଙ୍କର। ଯଦି ସେ ସହାନୁଭୂତି ଦେଖାଇବାରେ ବିଫଳ ହୁଅନ୍ତି, ତେବେ କିଏ କରିବ?’’ କୋର୍ଟ କହିଛନ୍ତି ଯେ ପୂର୍ବତନ ପ୍ରିନ୍ସିପାଲ ଘରେ ରହିବା ଉଚିତ ଏବଂ କୌଣସି ସ୍ଥାନରେ କାମ ନକରିବା ଉଚିତ।
ସେପଟେ ଆଜି ଆସିଥିବା ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଯାହା ଜଣାପଡୁଛି ଅଭିଯୁକ୍ତଜଣକ ଡାକ୍ତରଙ୍କୁ ଅତି ନିର୍ମମ ଭାବେ ପିଟିବା ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲା। ଏହାପରେ ତଣ୍ଟି ଚିପି ତାଙ୍କ ହତ୍ୟା କରିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ବଳାତ୍କାର ପୂର୍ବରୁ ପୀଡ଼ିତାଙ୍କୁ ପ୍ରବଳ ପିଟିଥିଲେ। ତାଙ୍କ ମୁହଁକୁ ବହୁଥର ଆକ୍ରମଣ କରାଯାଇଥିବା ବେଳେ ତାଙ୍କ ଚଷମା ଭାଙ୍ଗି ଯାଇଥିଲା। ଏପରିକି ଚଷମାର କାଚର କିଛି ଅଂଶ ତାଙ୍କ ଆଖିରେ ଗଳି ଯାଇଥିବା ଜଣାଯାଇଛି। ପ୍ରବଳ ମାଡ ଯୋଗୁ ପୀଡ଼ିତାଙ୍କ ବେକ ହାଡ଼ ଭାଙ୍ଗି ଯାଇଥିବା ରିପୋର୍ଟରେ ଉଲ୍ଲେଖ ଅଛି।