ଲେବାନନ୍ ଏବଂ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲର ଯୁଦ୍ଧ ଥମିବାର ନାମ ନେଉନାହିଁ। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଲେବାନନର ବିଭିନ୍ନ ସ୍ଥାନରେ ଇସ୍ରାଏଲୀ ସେନା ପକ୍ଷରୁ କରାଯାଇଥିବା ଭୟଙ୍କର ବୋମା ମାଡ଼ରେ ପ୍ରାୟ ୫୧ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ହୋଇଥିବା ଯୁଦ୍ଧବିରତି ଚୁକ୍ତି ସତ୍ତ୍ୱେ ଏହି ଆକ୍ରମଣ ଅବ୍ୟାହତ ରହିବା ଅନ୍ତର୍ଜାତୀୟ ସ୍ତରରେ ଉଦବେଗ ସୃଷ୍ଟି କରିଛି।
ଟାର୍ଗେଟରେ ସ୍ୱାସ୍ଥ୍ୟକେନ୍ଦ୍ର
ଲେବାନନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ୍ ଆକ୍ରମଣରେ ପ୍ରାଣ ହରାଇଥିବା ୫୧ ଜଣଙ୍କ ମଧ୍ୟରେ ୨ ଜଣ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ସାମିଲ ଅଛନ୍ତି। ବିଶେଷ କରି ବିଣ୍ଟ ଜବେଲ ଜିଲ୍ଲାର କାଲାୱିଆ ଏବଂ ଟିବନିନ୍ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପାରାମେଡିକ୍ସଙ୍କୁ ଟାର୍ଗେଟ୍ କରି ଇସ୍ରାଏଲ୍ ସେନା ଦୁଇଟି ବଡ଼ ଧରଣର ଏୟାରଷ୍ଟ୍ରାଇକ୍ କରିଥିଲା। ଏହାକୁ ଅନ୍ତର୍ଜାତୀୟ ଆଇନ ଏବଂ ମାନବିକ ଅଧିକାରର ଖୋଲା ଉଲ୍ଲଂଘନ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ବିଫଳ ହେଉଛି କି ଯୁଦ୍ଧବିରତି ଚୁକ୍ତି?
ଆମେରିକା ଦ୍ୱାରା ପ୍ରସ୍ତାବିତ ଯୁଦ୍ଧବିରତି ତୃତୀୟ ସପ୍ତାହରେ ପହଞ୍ଚିଥିଲେ ସୁଦ୍ଧା ହିଂସା ଥମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସ୍ରାଏଲ୍ କ୍ରମାଗତ ଭାବେ ନିଜର ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି, ଯାହା ଫଳରେ ଲେବାନନରେ ସାଧାରଣ ନାଗରିକଙ୍କ ଜୀବନ ପ୍ରତି ବିପଦ ବଢ଼ିବାରେ ଲାଗିଛି। ଏହି ଘଟଣା ପରେ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ କରାଯାଉଥିବା ପ୍ରୟାସର ସଫଳତା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।