ନୂଆଦିଲ୍ଲୀ: ବଢ଼ିଲା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ଯକାଳ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି ଜେପି ନଡ୍ଡାଙ୍କ ପାଇଁ ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ଆଜି ଏହି ପ୍ରସ୍ତାବ ପାରିତ କରିଛି । ରାଜନାଥ ସିଂ ଏହି ପ୍ରସ୍ତାବ ରଖିଥିଲେ । ବିଜେପିର ସମସ୍ତ ସଦସ୍ୟମାନେ ଏହାକୁ ସ୍ୱୀକାର କରିଛନ୍ତି। ଜେପି ନଡ୍ଡାଙ୍କୁ ଜୁନ ୨୦୨୪ ପର୍ଯ୍ଯନ୍ତ ବିଜେପିର ଅଧ୍ୟକ୍ଷ ଭାବରେ ତାଙ୍କ କାର୍ଯ୍ଯକାଳ ବୃଦ୍ଧି କରାଯାଇଛି। ଅମିତ ଶାହ କହିଛନ୍ତି ମୋତେ ଆଶା ଓ ବିଶ୍ୱାସ ରହିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ବିଜେପି ୨୦୨୪ରେ ଆହୁରି ଅଧିକ ବହୁମତରେ ବିଜୟ ହାସଲ କରିବ ।
ସେ କହିଛନ୍ତି ଯେ, ପୁଣି ଗୋଟେଥର ନରେନ୍ଦ୍ର ମୋଦି ଦେଶର ନେତୃତ୍ୱ ପ୍ରଧାନମନ୍ତ୍ରୀ ରୂପରେ କରିବେ । ଜେପି ନଡ୍ଡାଙ୍କ ତିନି ବର୍ଷିୟା କାର୍ଯ୍ଯକାଳ ଚଳିତ ବର୍ଷ ୨୦ ଜାନୁଆରୀରେ ଶେଷ ହେଉଥିଲା । ଏହା ପୂର୍ବରୁ ସେ ଜୁଲାଇ ୨୦୧୯ରେ ଦଳର କାର୍ଯ୍ଯକାରୀ ଅଧ୍ୟକ୍ଷ ହୋଇଥିଲେ । ଏହାପରେ ୨୦ ଜାନୁଆରୀ ୨୦୨୦ରେ ସେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବରେ ଦଳର କମାନ ସମ୍ଭାଳିଥିଲେ । ବିଜେପିର ସମ୍ବିଧାନ ଅନୁସାରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଲଗାତାର ତିନି ବର୍ଷ ପାଇଁ ଦୁଇଟି କାର୍ଯ୍ଯକାଳ ଦେବାର ପ୍ରାବଧାନ ରହିଛି ।