AI କାରଣରୁ ଚାକିରି ହରାଇ ସ୍ୱାମୀ କଲେ ଆତ୍ମହତ୍ୟା, ୨୦ ମିନିଟ୍ ପରେ ୧୮ତମ ମହଲାରୁ ଡେଇଁ ପଡ଼ିଲେ ପତ୍ନୀ

ବେଙ୍ଗାଲୁରୁ: AI ନେଲା ଚାକିରି , ଜୀବନ ହାରିଲେ ଦମ୍ପତ୍ତି । ବେଙ୍ଗାଲୁରୁରେ ଏକ ଯୁବ ସଫ୍ଟୱେର୍ ଇଞ୍ଜିନିୟର (ଆଇଟି) ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସୂଚନା ଅନୁଯାୟୀ, ଚାକିରି ହରାଇବା, ଆର୍ଥିକ ଅନଟନ ଏବଂ ପାରିବାରିକ ସମସ୍ୟା କାରଣରୁ ଏହି ଦମ୍ପତି ଏପରି ଚରମ ନିଷ୍ପତ୍ତି ନେଇଛନ୍ତି। ତେଲେଙ୍ଗାନାର ବାସିନ୍ଦା ତଥା ୩୨ ବର୍ଷୀୟ ବାନୁ ଚନ୍ଦ୍ର ରେଡ୍ଡୀ ସୋମବାର ଦିନ ନିଜ ଆପାର୍ଟମେଣ୍ଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏହାର କିଛି ସମୟ ପରେ ଆଇବିଏମ୍ (IBM) ରେ କାର୍ଯ୍ୟରତ ତାଙ୍କ ପତ୍ନୀ ବିବି ଶାଜିଆ ସିରାଜ ଭାରସାମ୍ୟ ହରାଇ ବିଲ୍ଡିଂର ୧୮ତମ ମହଲାରୁ ଡେଇଁ ପଡ଼ିଥିଲେ।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ମୃତକଙ୍କ ନାମ ଭାନୁ ଚନ୍ଦର ରେଡ୍ଡୀ ଏବଂ ତାଙ୍କ ପତ୍ନୀଙ୍କ ନାମ ବିବି ଶାଜିଆ ସିରାଜ। ଭାନୁ ଆମେରିକାରେ କାମ କରୁଥିଲେ, କିନ୍ତୁ ଗତ ବର୍ଷ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କାରଣରୁ ହୋଇଥିବା ଛଟେଇରେ ସେ ନିଜର ଚାକିରି ହରାଇଥିଲେ। ଭାରତ ଫେରିବା ପରେ ସେ ବେକାରୀ, ଆର୍ଥିକ ସମସ୍ୟା ଏବଂ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ମାନସିକ ଚାପରେ ଥିଲେ। ଅନ୍ୟପକ୍ଷରେ, ଶାଜିଆ ଆଇବିଏମ୍ (IBM) ରେ ଚାକିରି ପାଇଥିଲେ। ଦମ୍ପତି ୮ ମାସ ପୂର୍ବେ ବେଙ୍ଗାଲୁରୁ ଆସିଥିଲେ।

ଶାଜିଆ ହାଇଦ୍ରାବାଦରୁ ଫେରିବା ପରେ ସକାଳ ପ୍ରାୟ ୭.୩୦ ସମୟରେ ନିଜ ସ୍ୱାମୀଙ୍କୁ ବାରମ୍ବାର ଡାକିବା ସତ୍ତ୍ୱେ କୌଣସି ଉତ୍ତର ପାଇନଥିଲେ। ଏହାପରେ ସେ ଆପାର୍ଟମେଣ୍ଟର ସୁରକ୍ଷା କର୍ମୀଙ୍କୁ ଡାକିଥିଲେ। ସୁରକ୍ଷା କର୍ମୀ କବାଟ ଭାଙ୍ଗି ଦେଖିବା ବେଳକୁ ଭାନୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଥିଲେ। ରୁମରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରାଯାଇଛି, ଯେଉଁଥିରେ ସେ ଏକାଧିକ ସମସ୍ୟା ପାଇଁ ବିବ୍ରତ ଥିବା ଉଲ୍ଲେଖ କରିଛନ୍ତି।

ସ୍ୱାମୀଙ୍କ ମୃତଦେହ ଦେଖିବା ଏବଂ ସୁଇସାଇଡ୍ ନୋଟ୍ ପଢ଼ିବାର ପ୍ରାୟ ୨୦ ମିନିଟ୍ ପରେ ଶାଜିଆ ଏକ ଚରମ ନିଷ୍ପତ୍ତି ନେଇଥିଲେ। ପଡ଼ୋଶୀମାନେ ଏକାଠି ହୋଇ ପୋଲିସକୁ ଖବର ଦେଉଥିବା ବେଳେ, ଶାଜିଆ କାହାକୁ ନଜଣାଇ ଆପାର୍ଟମେଣ୍ଟର ୧୮ତମ ମହଲାକୁ ଚାଲିଯାଇଥିଲେ ଏବଂ ସେଠାରୁ ତଳକୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ମୂଳତଃ ତେଲେଙ୍ଗାନାର ବାସିନ୍ଦା ଏହି ଦମ୍ପତିଙ୍କର ଅଢ଼େଇ ବର୍ଷ ତଳେ ବିବାହ ହୋଇଥିଲା। ତେବେ ଏହି ଅନ୍ତଃଧର୍ମୀୟ ବିବାହ ସମ୍ପର୍କରେ ସାଜିୟାଙ୍କ ପରିବାର ଲୋକ ଅବଗତ ନଥିଲେ। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପରିବାରଠାରୁ ଲୁଚି ରହିବା କାରଣରୁ ସେମାନେ ପୂର୍ବରୁ ହାଇଦ୍ରାବାଦରେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ପରେ ବେଙ୍ଗାଲୁରୁ ଚାଲି ଆସିଥିଲେ।

ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ଉଦ୍ଧାର କରିଛି। ଏହି ନୋଟ୍‌ରେ ରେଡ୍ଡୀ ନିଜ ଆତ୍ମହତ୍ୟା ପାଇଁ ବିଭିନ୍ନ କାରଣ ଦର୍ଶାଇବା ସହ ନିଜକୁ ଦାୟୀ କରିଛନ୍ତି ଏବଂ ତାଙ୍କ ମୃତ୍ୟୁ ପାଇଁ ପତ୍ନୀଙ୍କୁ ଦୋଷ ନଦେବାକୁ ଅନୁରୋଧ କରିଛନ୍ତି। ସ୍ୱାମୀଙ୍କ ମୃତଦେହ ଦେଖିବା ପରେ ମାନସିକ ଭାରସାମ୍ୟ ହରାଇ ଶାଜିଆ ମଧ୍ୟ ଆତ୍ମହତ୍ୟା କରିଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। 

About The Author: Madhusudan Das