ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ତାମିଲନାଡୁର ଜଣେ ୟୁଟ୍ୟୁବରଙ୍କୁ ଜାମିନ ଦେବା ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ସୋସିଆଲ ମିଡିଆରେ ମତ ମନ୍ତବ୍ୟ ରଖୁଥିବା କିମ୍ବା ସରକାରଙ୍କ ବିରୋଧରେ ଅଭିଯୋଗ ଆଣୁଥିବା ସବୁ ଲୋକଙ୍କୁ ସରକାର ଗିରଫ କରିପାରିବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ନିର୍ବାଚନ ପୂର୍ବରୁ ଯଦି ସରକାରଙ୍କ ବିରୋଧରେ ବିଭିନ୍ନ ସୋସିଆଲ ମିଡିଆରେ ଅଭିଯୋଗ ଅଣାଯାଏ ତେବେ ତାମିଲନାଡୁ ସରକାର କେତେ ଲୋକଙ୍କୁ ବାନ୍ଧିବେ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଏ ଦୁରାଇମୁରୁଗାନ ସତାଇ ନାମକ ଜଣେ ବ୍ୟକ୍ତି ତାମିଲନାଡୁ ସରକାରଙ୍କ ବିରୋଧରେ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ବିରୋଧରେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଟିକା ଟିପ୍ପଣୀ କରିଥିଲେ। ଏହାକୁ ନେଇ ତାଙ୍କୁ ଗିରଫ କରାଯିବା ପରେ ସେ ସ୍ଥାନୀୟ ଅଦାଲତରୁ ଜାମିନ ପାଇଥିଲେ। କିନ୍ତୁ ଏହାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚ୍ୟାଲେଞ୍ଜ କରାଯିବାରୁ ହାଇକୋର୍ଟ ସତାଇଙ୍କ ଜାମିନ ଖାରଜ କରିଦେଇଥିଲେ। ଏହାପରେ ସତାଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଜାମିନକୁ କାଏମ ରଖିବା ସହିତ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ସତାଇ ତାଙ୍କର ସାମ୍ବିଧାନିକ ମୌଳିକ ଅଧିକାରର କୌଣସି ଉଲ୍ଲଘଂନ କରିନାହାନ୍ତି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।