ରେଳଯାତ୍ରୀଙ୍କ ସୁରକ୍ଷା ଓ ଖାଦ୍ୟର ମାନକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୁଆହାଟୀ ଅଭିମୁଖେ ଯାଉଥିବା ଏକ ଟ୍ରେନରେ ଯାତ୍ରୀଙ୍କୁ ଦିଆଯାଇଥିବା ଡାଲିରୁ ଏକ ଧାତବ ଖଣ୍ଡ ବାହାରିବା ପରେ IRCTC ସମ୍ପୃକ୍ତ କ୍ୟାଟରରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ସୂଚନା ଅନୁଯାୟୀ, ଜଣେ ଯାତ୍ରୀ ନିଜ ଖାଦ୍ୟରେ ଲୁହା ଖଣ୍ଡ ଥିବା ଦେଖି ସୋସିଆଲ ମିଡିଆରେ ଅଭିଯୋଗ କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ରେଳବାଇ କର୍ତ୍ତୃପକ୍ଷ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଖାଦ୍ୟ ପ୍ରସ୍ତୁତିରେ ଅବହେଳା ପାଇଁ କ୍ୟାଟରରଙ୍କୁ ୧ ଲକ୍ଷ ଟଙ୍କାର ମୋଟା ଅଙ୍କର ଜରିମାନା କରାଯାଇଛି।
ଏହି ଘଟଣାଟି ଏକ ପ୍ରିମିୟମ ଟ୍ରେନରେ ଘଟିଥିବା ବେଳେ ଯାତ୍ରୀ ଜଣକ ନିଜର ତିକ୍ତ ଅନୁଭୂତି ବର୍ଣ୍ଣନା କରିଛନ୍ତି। IRCTC ପକ୍ଷରୁ କୁହାଯାଇଛି ଯେ, ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଏବଂ ସେବା କ୍ଷେତ୍ରରେ କୌଣସି ପ୍ରକାରର ସାଲିସ କରାଯିବ ନାହିଁ। ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନହୁଏ, ସେଥିପାଇଁ କଠୋର ନିୟମାବଳୀ ଜାରି କରାଯାଇଛି।