ଜମ୍ମୁ-କାଶ୍ମୀରର କିଷ୍ଟୱାରରେ ଆତଙ୍କବାଦୀ ବିରୋଧୀ ଅପରେସନ ବେଳେ ଜଣେ ଯବାନ ସହିଦ, ‘ଅପରେସନ୍ ତ୍ରାଶି-୧’ ଜାରି

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କିଷ୍ଟୱାର ଜିଲ୍ଲାରେ ଚାଲିଥିବା ଏକ ଆତଙ୍କବାଦୀ ବିରୋଧୀ ଅପରେସନରେ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ଜଣକ ହେଲେ ସ୍ପେଶାଲ ଫୋର୍ସର ହାବିଲଦାର ଗଜେନ୍ଦ୍ର ସିଂହ। ରବିବାର ରାତିରେ କିଷ୍ଟୱାରର ଛାତ୍ରୁ ଅଞ୍ଚଳରେ ଚାଲିଥିବା ‘ଅପରେସନ୍ ତ୍ରାଶି-୧’ ସମୟରେ ଆତଙ୍କବାଦୀଙ୍କ ସହ ଲଢେଇ କରି ସେ ସହିଦ ହୋଇଛନ୍ତି ।

ହ୍ୱାଇଟ୍ ନାଇଟ୍ କର୍ପସ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ଜରିଆରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସେନା ଅଧିକାରୀଙ୍କ ସୂଚନା ମୁତାବକ, ୧୮-୧୯ ଜାନୁଆରୀ ୨୦୨୬ ମଧ୍ୟରାତ୍ରିରେ ସିଙ୍ଗପୁରା ଅଞ୍ଚଳରେ ଚାଲିଥିବା ଏହି ଅପରେସନ୍ ସମୟରେ ହାବିଲଦାର ଗଜେନ୍ଦ୍ର ସିଂହ ସାହସିକତାର ସହ ଲଢେଇ କରି ସର୍ବୋଚ୍ଚ ବଳିଦାନ ଦେଇଛନ୍ତି।

ସୂଚନା ଅନୁଯାୟୀ, ଜାନୁଆରୀ ୧୯ ତାରିଖରେ ଭାରତୀୟ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ମିଳିତ ଭାବେ ଛାତ୍ରୁର ଉତ୍ତର-ପୂର୍ବ ଦିଗରେ ଥିବା ସୋନ ନାର ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଅତର୍କିତ ଗୁଳିଚାଳନା କରିଥିଲେ। କଠିନ ଭୌଗୋଳିକ ସ୍ଥିତି ଏବଂ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଯବାନମାନେ ଅତ୍ୟନ୍ତ ବୃତ୍ତିଗତ ଦକ୍ଷତାର ସହ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଇଥିଲେ।

ବର୍ତ୍ତମାନ ସୁଦ୍ଧା ସୋନ ନାର ଅଞ୍ଚଳରେ ‘ଅପରେସନ୍ ତ୍ରାଶି-୧’ ଜାରି ରହିଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷା ବଳୟକୁ ଅଧିକ କଡ଼ାକଡ଼ି କରାଯାଇଛି ଏବଂ ଘଟଣାସ୍ଥଳରେ ଅତିରିକ୍ତ ସେନା ମୁତୟନ କରାଯାଇଛି। ସ୍ଥାନୀୟ ପ୍ରଶାସନ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସିଙ୍କ ସହଯୋଗରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି।

About The Author: Madhusudan Das