ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ପରିବେଶ ଏବଂ ମଣିଷ ନୁହେଁ, ପଶୁପକ୍ଷୀଙ୍କ ଉପରେ ମଧ୍ୟ ପଡୁଛି। ତାପମାତ୍ରା ବୃଦ୍ଧି ପଶୁପକ୍ଷୀଙ୍କ ଶାରିରୀକ ଏବଂ ମାନସିକ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି। ପଶୁପକ୍ଷୀ ଅବସାଦଗ୍ରସ୍ତ ହେଉଛନ୍ତି। ଏଥିପାଇଁ ସେମାନଙ୍କ ପ୍ରଜନନ କ୍ଷମତା ପ୍ରଭାବିତ ହେଉଛି। ଗାଈର କ୍ଷୀର ଦେବା କ୍ଷମତା ୩୫ ପ୍ରତିଶତ ହ୍ରାସ ପାଇଛି। ଅତ୍ୟଧିକ ଗରମ ଯୋଗୁଁ ହାତୀଙ୍କ ମୃତ୍ୟୁ ହେଉଛି। କୁକୁରଙ୍କ ଓଜନ ବୃଦ୍ଧି ପାଉଛି। ଏକ ନୂଆ ଅଧ୍ୟୟନରୁ ଏହା ଜାଣିପଡ଼ିଛି। ‘ସିଏବିଆଇ ରିଭ୍ୟୁଜ’ରେ ଏହି ଅଧ୍ୟୟନର ତଥ୍ୟ ପ୍ରକାଶ ପାଇଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଜାଣିବା ପାଇଁ ବାଦୁଡ଼ି, ବେଙ୍ଗ, କୋଆଲା, ଆଫ୍ରିକୀୟ ହାତୀ, ହରିଣ, ପକ୍ଷୀ, ଜେବ୍ରା ଫିସ ଏବଂ ଗାଈ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ଗବେଷକମାନେ କହିଛନ୍ତି ଯେ ପକ୍ଷୀଙ୍କଠାରେ ଉତ୍ତାପ ସହିବାର କ୍ଷମତା ସୀମିତ ଥାଏ। କାରଣ ପକ୍ଷୀଙ୍କର ଝାଳଗ୍ରନ୍ଥି ନ ଥାଏ। ପରିସ୍ଥିତି ଅନୁଯାୟୀ ପକ୍ଷୀ ନିଜ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥାନ୍ତି ଏବଂ ଅଧିକ ପାଣି ପିଇଥାନ୍ତି। ଅଧିକ ତାପମାତ୍ରା ଥିବା ଅଞ୍ଚଳରେ କୁକୁଡ଼ାଙ୍କ ଜୀବନ ଏବଂ ମାଂସର ମାନ ମଧ୍ୟ ହ୍ରାସ ପାଇଛି। ଏହା ଜାଣିବା ପାଇଁ କୁକୁଡାଙ୍କୁ ଚାରି ଦିନ ପର୍ଯ୍ୟନ୍ତ ଗରମ ପରିବେଶରେ ରଖା ଯାଇଥିଲା।
ଗବେଷକ ଡ. ଏଡୱାର୍ଡ ନାରାୟଣ କହିଛନ୍ତି ଯେ ତାପମାତ୍ରା ବୃଦ୍ଧି ଯୋଗୁଁ ଆଫ୍ରିକୀୟ ଦେଶରେ ମରୁଡ଼ି ସ୍ଥିତି ଗଭୀର ହେବାରେ ଲାଗିଛି। ପାଣି ଅଭାବରୁ ହାତୀଙ୍କ ମୃତ୍ୟୁ ହେଉଛି। ୱାର୍ଲ୍ଡ ୱେଦର ଆଟ୍ରିବ୍ୟୁସନ (ଡବ୍ଲ୍ୟୁଡବ୍ଲ୍ୟୁଏ) ରିପୋର୍ଟରେ ପୂର୍ବ ଆଫ୍ରିକାରେ ମରୁଡି ଆଶଙ୍କା ଶହେ ପ୍ରତିଶତ ବୃଦ୍ଧି ପାଇଛି। ଅଢ଼େଇ ବର୍ଷ ହେଲା ଆଫ୍ରିକାରେ ହାରାହାରିଠାରୁ କମ୍ ବର୍ଷା ହୋଇଛି। ଅନେକ ସମୟରେ ତାପମାତ୍ରା ଗରମ ରହୁଛି। ଏଥିଯୋଗୁଁ ଫସଲ ନଷ୍ଟ ହେଉଛି। ଅନେକ ପଶୁପକ୍ଷୀ ପ୍ରାଣ ହରାଉଛନ୍ତି।
ଅନ୍ୟପକ୍ଷରେ ୪୫ ବର୍ଷରେ ପ୍ରଥମ ଥର ପାଇଁ ଆଣ୍ଟାର୍କଟିକାରେ ତରଳି ଥିବା ବରଫ ଜମା ହୋଇନାହିଁ। ସେହପରି ରେକର୍ଡ ମାତ୍ରାରେ ବରଫ ତରଳି ଯାଇଛି। ସୂଚନାଯୋଗ୍ୟ ଯେ ପ୍ରତି ବର୍ଷ ଖରାଦିନେ (ଫେବୃଆରୀ ଶେଷ ସୁଦ୍ଧା) ଆଣ୍ଟାର୍କଟିକା ସମୁଦ୍ରରେ ଜମା ବରଫ ତରଳି ଯାଇଥାଏ। ଶୀତ ଦିନେ ପୁଣି ଏହା ଜମା ହୋଇଥାଏ। କିନ୍ତୁ ଚଳିତ ଥର ଏପରି ହୋଇନାହିଁ। ପୂର୍ବ ବର୍ଷ ଅପେକ୍ଷା ୧.୬ ମିଲିୟନ ବର୍ଗ କିମି କମ୍ ଅଞ୍ଚଳରେ ବରଫ ସ୍ତର କମ୍ ରହିଛି।