ଏବେ କ୍ୟୁବା ଉପରେ ଚଢ଼ାଉ ପାଇଁ ପ୍ରସ୍ତୁତ ଆମେରିକା? ଡୋନାଲ୍ଡ ଟ୍ରମ୍ପ ଦେଲେ ବଡ଼ ସଙ୍କେତ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆନ୍ତର୍ଜାତୀୟ ରାଜନୀତିରେ ପୁଣି ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସେ ସଙ୍କେତ ଦେଇଛନ୍ତି ଯେ, ଭେନେଜୁଏଲା ଭଳି କ୍ୟୁବା ବିରୋଧରେ ମଧ୍ୟ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। 'ଆକ୍ସିଓସ୍' (Axios) କୁ ଦେଇଥିବା ଏହି ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, କ୍ୟୁବା ଉପରେ ଆକ୍ରମଣ ସମ୍ଭବ ଏବଂ ଏହା ଖୁବଶୀଘ୍ର ଘଟିପାରେ।

କ୍ୟୁବା ଏବଂ ଭେନେଜୁଏଲା ମଧ୍ୟରେ ତୁଳନା

ଟ୍ରମ୍ପ କ୍ୟୁବା ଏବଂ ଭେନେଜୁଏଲାର ସ୍ଥିତିକୁ ତୁଳନା କରି କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ରହିଛି। ତାଙ୍କ ମତରେ, "ଭେନେଜୁଏଲା ନିକଟରେ ତେଲ ଅଛି, କିନ୍ତୁ କ୍ୟୁବା ନିକଟରେ ତେଲ ନାହିଁ। ତେବେ କ୍ୟୁବାରେ ବହୁତ ଭଲ ପ୍ରପର୍ଟି ବା ସମ୍ପତ୍ତି ଏବଂ ଚମତ୍କାର ସମୁଦ୍ର କୂଳ ରହିଛି।" ଟ୍ରମ୍ପଙ୍କ ଏହି ମନ୍ତବ୍ୟ ପରେ ସୋସିଆଲ ମିଡିଆ ଏବଂ ରାଜନୈତିକ ମହଲରେ ତୀବ୍ର ବିତର୍କ ଆରମ୍ଭ ହୋଇଯାଇଛି।

ଆମେରିକାର ପଡ଼ୋଶୀ କ୍ୟୁବା

ଟ୍ରମ୍ପ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କ୍ୟୁବା ଆମେରିକାର ବହୁତ ନିକଟତର। ସେ କହିଛନ୍ତି, "ଭେନେଜୁଏଲା ପାଖରେ ଅଛି ଏବଂ କ୍ୟୁବା ଆମର ସମ୍ପୂର୍ଣ୍ଣ ପଡ଼ୋଶୀ। ଅନ୍ୟପକ୍ଷରେ ଇରାନ ବହୁତ ଦୂରରେ ଅବସ୍ଥିତ।" ତାଙ୍କର ଏହି ବୟାନକୁ ବିଶେଷଜ୍ଞମାନେ ଏକ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନର ସ୍ପଷ୍ଟ ଇସାରା ବୋଲି ମାନୁଛନ୍ତି।

ବଢ଼ୁଛି ତିକ୍ତତା ଏବଂ ପ୍ରସ୍ତୁତି

ଗତ କିଛି ମାସ ଧରି ଟ୍ରମ୍ପ ପ୍ରଶାସନ ଏବଂ କ୍ୟୁବା ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ, ଆମେରିକା ପ୍ରଶାସନ କ୍ୟୁବାର ସ୍ଥିତିକୁ ନେଇ ଅନେକ ସାମରିକ ବିକଳ୍ପ ଉପରେ ବିଚାର କରୁଛି। ଯଦିଓ ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ କୌଣସି ତୁରନ୍ତ ସାମରିକ ଆକ୍ରମଣର ଯୋଜନା ନାହିଁ, ତଥାପି ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଉପରେ ଆଲୋଚନା ଚାଲିଛି। ଏହି ପ୍ରସଙ୍ଗରେ ଟ୍ରମ୍ପ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଙ୍କ ନାମ ଉଲ୍ଲେଖ କରି କହିଛନ୍ତି ଯେ ରୁବିଓ କ୍ୟୁବା ମାମଲାରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିବେ।

About The Author: Suryakanta