ବିବାହିତ ପୁରୁଷଙ୍କ ଲିଭ୍-ଇନ୍ ସମ୍ପର୍କ ଅପରାଧ ନୁହେଁ: ଆଲ୍ଲାହାବାଦ ହାଇକୋର୍ଟ

ଉତ୍ତରପ୍ରଦେଶ: ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି ଯେ ଜଣେ ବିବାହିତ ପୁରୁଷ ଅନ୍ୟ ଜଣେ ସାବାଳିକାଙ୍କ ସହ ଲିଭ୍-ଇନ୍ ସମ୍ପର୍କରେ ରହିବା କୌଣସି ଅପରାଧ ନୁହେଁ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ନୈତିକତା ଏବଂ ଆଇନକୁ ସମ୍ପୂର୍ଣ୍ଣ ଭାବରେ ପୃଥକ୍ ରଖାଯିବା ଉଚିତ୍।

ବିଚାରପତି ଜେ.ଜେ. ମୁନିର ଏବଂ ବିଚାରପତି ତରୁଣ ସକ୍ସେନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏକ ଲିଭ୍-ଇନ୍ ଯୋଡ଼ିଙ୍କ ସୁରକ୍ଷା ଆବେଦନର ଶୁଣାଣି କରିବା ସମୟରେ ଏହି ଟିପ୍ପଣୀ ଦେଇଛନ୍ତି। ମହିଳାଙ୍କ ପରିବାର ପକ୍ଷରୁ ଆସୁଥିବା ଧମକରୁ ସୁରକ୍ଷା ମାଗି ଏହି ଯୋଡ଼ି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମହିଳାଙ୍କ ପରିବାରର ଓକିଲ ଯୁକ୍ତି ବାଢ଼ିଥିଲେ ଯେ ପୁରୁଷ ଜଣକ ପୂର୍ବରୁ ବିବାହିତ ହୋଇଥିବାରୁ ଅନ୍ୟ ଜଣେ ମହିଳାଙ୍କ ସହ ରହିବା ଏକ ଅପରାଧ ଅଟେ। ତେବେ କୋର୍ଟ ଏହାକୁ ଖଣ୍ଡନ କରି କହିଛନ୍ତି ଯେ ଆଇନକୁ ସାମାଜିକ ନୈତିକତା ଠାରୁ ଅଲଗା ରଖିବା ଆବଶ୍ୟକ। ଯଦି ଆଇନ ଅନୁଯାୟୀ କୌଣସି ଅପରାଧ ହୋଇନାହିଁ, ତେବେ ସାମାଜିକ ମତ ଏବଂ ନୈତିକତା ନାଗରିକଙ୍କ ସୁରକ୍ଷା ଅଧିକାରକୁ କ୍ଷୁର୍ଣ୍ଣ କରିପାରିବ ନାହିଁ।

ମହିଳା ଜଣକ ନିଜ ଇଚ୍ଛାରେ ଏବଂ ସମ୍ମତି କ୍ରମେ ସମ୍ପୃକ୍ତ ପୁରୁଷଙ୍କ ସହ ରହୁଛନ୍ତି ବୋଲି ପୂର୍ବରୁ ଶାହାଜାହାନପୁରର ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଆବେଦନ କରିଥିଲେ। ମାତ୍ର ପୋଲିସ ପକ୍ଷରୁ ଏହି ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ପରିବାର ସଦସ୍ୟ ସେମାନଙ୍କ ସମ୍ପର୍କକୁ ତୀବ୍ର ବିରୋଧ କରୁଥିବାରୁ ଏବଂ ହତ୍ୟା ଧମକ ଦେଉଥିବାରୁ ଉଭୟେ 'ଅନର କିଲିଂ' ଆଶଙ୍କା କରୁଥିଲେ ବୋଲି କୋର୍ଟ ଦର୍ଶାଇଥିଲେ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ମାର୍ଗଦର୍ଶିକାକୁ ଆଧାର କରି ହାଇକୋର୍ଟ କହିଛନ୍ତି ଯେ ଏକାଠି ରହୁଥିବା ଦୁଇଜଣ ପ୍ରାପ୍ତବୟସ୍କଙ୍କୁ ସୁରକ୍ଷା ଦେବା ପୋଲିସର ପ୍ରମୁଖ କର୍ତ୍ତବ୍ୟ। 

କୋର୍ଟ ମହିଳାଙ୍କ ପରିବାରକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଦମ୍ପତିଙ୍କୁ କୌଣସି ପ୍ରକାର ଶାରୀରିକ ବା ମାନସିକ କ୍ଷତି ପହଞ୍ଚାଇବେ ନାହିଁ। ଏଥିସହ ସେମାନଙ୍କ ବାସଭବନରେ ପ୍ରବେଶ କରିବା କିମ୍ବା କୌଣସି ବୈଦ୍ୟୁତିକ ମାଧ୍ୟମରେ ସେମାନଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ ବାରଣ କରାଯାଇଛି। ସେମାନଙ୍କ ନିରାପତ୍ତା ଓ ସୁରକ୍ଷା ନିଶ୍ଚିତ କରିବା ଦାୟିତ୍ୱ କୋର୍ଟ ଶାହାଜାହାନପୁର ଏସପିଙ୍କୁ ପ୍ରଦାନ କରିଛନ୍ତି।

About The Author: Madhusudan Das