ଚଣ୍ଡୀଗଡ଼ : ପଞ୍ଜାବ କଂଗ୍ରେସରେ ପୁଣିଥରେ ଆସିଛି ଝଡ। କିଛି ଦିନର ନିରବତା ପରେ ପୁଣିଥରେ ପଞ୍ଜାବରେ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି। ଆଜି ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଥିବା ନବଜୋତ ସିଂହ ସିଦ୍ଧୁ ଇସ୍ତଫା ଦେବାପରେ ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି କ୍ୟାବିନେଟ ମନ୍ତ୍ରୀ ରଜିୟା ସୁଲତାନା। ନୂଆ ମନ୍ତ୍ରୀମଣ୍ଡଳରେ ତାଙ୍କ ପାନୀୟଜଳ, ସ୍ୱଚ୍ଛତା ଓ ମହିଳା ବାଳବିକାଶ ବିଭାଗର କ୍ୟାବିନେଟ ପାହ୍ୟା ମନ୍ତ୍ରୀପଦ ପାଇଥିବା ରଜିୟା ସୁଲତାନା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା ଦେଇ କହିଛନ୍ତି ସମସ୍ତଙ୍କୁ ଜଣାଥିଲା କି କିଛି ଗଡବଡ ଚାଲିଛି,” । ସେ ସିଦ୍ଧୁଙ୍କ ସମର୍ଥନରେ କହିଛନ୍ତି କି ସିଦ୍ଧୁ ଜଣେ ସଚ୍ଚୋଟ ମଣିଷ, ତାଙ୍କର ଅର୍ଥ କିମ୍ବା ପଦବୀରେ କୌଣସି ଲୋଭ ନାହିଁ । ସେ ପଞ୍ଜାବ ଓ ପଞ୍ଜାବବାସୀଙ୍କ ପାଇଁ ଲଢେଇ କରୁଛନ୍ତି । କହିରଖୁ କି ରାଜିଆ ନବଜୋତ ସିଂ ସିଦ୍ଧୁଙ୍କ ପରାମର୍ଶଦାତା ମହମ୍ମଦ ମୁସ୍ତଫାଙ୍କର ପତ୍ନୀ ।
ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ରଜିୟା ସୁଲତାନା କହିଛନ୍ତି ଯେ ସେ ସିଦ୍ଧୁଙ୍କ ସମର୍ଥନରେ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। କିନ୍ତୁ ଦଳର କାର୍ଯ୍ୟକର୍ତ୍ତା ଭାବେ ସେ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି।