ନୂଆଦିଲ୍ଲୀ: ଆଫଗାନିସ୍ତାନର ଶାସନ କ୍ଷମତା ତାଲିବାନ ହାତକୁ ଯିବା ପରେ ସେଠାକାର ସାମାଜିକ ସ୍ଥିତି ଯେଉଁ ସ୍ତରରେ ପହଞ୍ଚିଛି ତାହା କାହାକୁ ଅଛପା ନାହିଁ। ପୁରୁଷ, ନାରୀ ବ୍ୟତିରେକ କୋମଳମତି ଶିଶୁମାନେ ତାଲିବାନର କ୍ରୂରତାକୁ ନେଇ ଯେଉଁଭଳି ଭାବେ ଜୀବନମରଣ ସମସ୍ୟାରେ ପଡ଼ିଛନ୍ତି ତଦ୍ବାରା ସେମାନେ ବଞ୍ଚିବା ଠାରୁ ମୃତ୍ୟୁକୁ ଉତ୍ତମ ମଣୁଛନ୍ତି। ପ୍ରାୟ ୨୦ ବର୍ଷ ତଳେ ଆଫଗାନିସ୍ତାନରେ ଆମେରିକା ସେନା ପ୍ରବେଶ କରିବା ପରେ ସେଠାରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ପ୍ରତିଷ୍ଠା କରି ରାଷ୍ଟ୍ରୀୟ ବିକାଶଧାରାରେ ପରିବର୍ତ୍ତନ ସହିତ ଆଫଗାନିସ୍ତାନର ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା।
ବିଗତ ୨୦ ବର୍ଷ ମଧ୍ୟରେ ଅନେକ କ୍ଷେତ୍ରରେ ପରିବର୍ତ୍ତନ ମଧ୍ୟ ଆସିଥିଲା। ହେଲେ ତାଲିବାନ ଗୋଷ୍ଠୀ ଗତ ସପ୍ତାହରେ କ୍ଷମତା ଦଖଲ କରିବା ପରେ ଏହି ୨୦ ବର୍ଷର ତପସ୍ୟା ଯେମିତି କ୍ଷଣକେ ଚୁରମାର ହୋଇଗଲା । ଆଉ ଆଫଗାନ ସମାଜ ପୁଣିଥରେ ସେହି ୨୦ ବର୍ଷ ତଳର ତାଲିବାନୀଙ୍କ କ୍ରୂରତା ଓ କଠୋରତା ବଳୟ ମଧ୍ୟକୁ ଠେଲି ହୋଇଗଲା। କେବଳ ତାଲିବାନର କଥା ନୁହେଁ, ୧୯୭୩ ମସିହାରେ ଆଫଗାନ ଶାସକ ଜାହିର ଶାହାଙ୍କ ଗାଦିଚ୍ୟୁତ ହେବା ଘଟଣା ଏବଂ ୧୯୮୯ରେ ତତ୍କାଳୀନ ସୋଭିଏତ ରୁଷ ଆଫଗାନିସ୍ତାନ ଛାଡିବା ପର୍ଯ୍ୟନ୍ତ ଏହି ଦେଶରେ ଗୃହଯୁଦ୍ଧା, ଆଭ୍ୟନ୍ତରୀଣ କନ୍ଦଳ ଏବଂ ରାଜନୈତିକ ଅସ୍ଥିରତାକୁ ନେଇ ସାଧାରଣ ନାଗରିକ ରୁକ୍ଷ ଜୀବନଯାପନ କରିଆସୁଥିବା ବେଳେ ଏବେ ତାଲିବାନ ଅମଳରେ ଜୀବନଧାରଣ ସମସ୍ୟା ଆହୁରି ଉତ୍କଟ ହୋଇପଡ଼ିଛି।
ଆଫଗାନିସ୍ତାନରେ ଆଦର୍ଶବିହୀନ ରାଜନୀତିକୁ ନେଇ ସଦାସର୍ବଦା ରାଜନୈତିକ ଅସ୍ଥିରତା ଏଭଳି ସ୍ଥିତି ପଛର ମୂଳ କାରଣ ବୋଲି କୁହାଯାଉଥିଲେ ହେଁ ଭାରତୀୟ ପୌରାଣିକ ତତ୍ବ ଏକ ମହତ୍ତ୍ବପୂର୍ଣ୍ଣ ଦିଗକୁ ଇଙ୍ଗିତ କରୁଛି। ଆଫଗାନିସ୍ତାନ ଏକଦା ଅଖଣ୍ଡ ଭାରତର ଅଂଶ ବିଶେଷ ରହିଥିଲା ବେଳେ ମହାଭାରତ ଯୁଗର କୌରବଙ୍କ ମାତା ଗାନ୍ଧାରୀଙ୍କ ଅଭିଶାପର ଫଳ ଭୋଗୁଛି ବୋଲି କୁହାଯାଉଛି। ହିନ୍ଦୁ ପୁରଣାରେ ଏବଂ ଇତିହାସରୁ ମଧ୍ୟ ଏହାର ପ୍ରମାଣ ମିଳିଛି।
ଆଜିର ମୁସଲିମ ବହୁଳ ଏହି ରାଷ୍ଟ୍ର ପୂର୍ବେ ହିନ୍ଦୁ ବହୁଳ ଥିଲା। ସେଠାରେ ହିନ୍ଦୁ ସଂସ୍କୃତି ଏବଂ ପରମ୍ପରା ପ୍ରଚଳିତ ଥିଲା। ହଜାର ହଜାର ବର୍ଷ ହେଲା ଭାରତ ସହ ଆଫଗାନିସ୍ତାନର ସମ୍ପର୍କ ରହିଆସିଛି। ଇତିହାସର ସବୁଠାରୁ ବଡ ଯୁଦ୍ଧ କୁହାଯାଉଥିବା ମହାଭାରତ ଯୁଦ୍ଧ ଷଡଯନ୍ତ୍ରର ଆରମ୍ଭ ଏହି ଦେଶରୁ ହୋଇଥିଲା। ଇତିହାସ ଏବଂ ପୁରାଣ ଅନୁଯାୟୀ କାନ୍ଦାହାରର ନାମ ପୂର୍ବେ ଗାନ୍ଧାର ଥିଲା। ସମୟ କ୍ରମେ ଏହା କାନ୍ଦାହାରରେ ପରିଣତ ହୋଇଥିଲା। ମହର୍ଷି ବେଦବ୍ୟାସଙ୍କ ମହାକାବ୍ୟ ମହାଭାରତରେ ଏ ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରାୟ ୫୫୦୦ ବର୍ଷ ତଳେ ରାଜା ସୁବଳ ଗାନ୍ଧାରରେ ଶାସନ କରୁଥିଲେ। ତାଙ୍କ ଝିଅଙ୍କ ନାମ ଗାନ୍ଧାରୀ ଥିଲା। ହସ୍ତିନାପୁରର ଯୁବରାଜ ଧୃତରାଷ୍ଟ୍ରଙ୍କ ସହ ଗାନ୍ଧାରୀଙ୍କ ବିବାହ ହୋଇଥିଲା। ଗାନ୍ଧାରୀଙ୍କ ଶକୁନି ନାମକ ଭାଇ ଥିଲା। ପିତାଙ୍କ ମୃତ୍ୟୁପରେ ସମସ୍ତ ରାଜ୍ୟଭାର ଶକୁନିଙ୍କ ହାତକୁ ଚାଲି ଯାଇଥିଲା। ଗଙ୍ଗା ପୂତ୍ର ଭୀଷ୍ମ ରାଜା ସୁବଳଙ୍କ ସମ୍ପୂର୍ଣ୍ଣ ପରିବାରକୁ ଧ୍ବଂସ କରିଦେଇଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ପାଣ୍ଡବ ଏବଂ କୌରବଙ୍କୁ ଲଢାଇ ସମ୍ପୂର୍ଣ୍ଣ ହସ୍ତିନାପୁରକୁ ଧ୍ବଂସ କରିବାକୁ ଶକୁନି ଷଡଯନ୍ତ୍ର କରିଥିଲା।
ନିଜର ଶହେ ପୂତ୍ରଙ୍କୁ ମହାଭାରତ ଯୁଦ୍ଧରେ ହରାଇବା ପରେ ଗାନ୍ଧାରୀ କ୍ରୋଧରେ ଶକୁନିଙ୍କୁ ଅଭିଷାପ ଦେଇଥିଲେ,‘ ମୋର ଶହେ ପୂତ୍ରଙ୍କ ମରାଇଥିବା ଗାନ୍ଧାର ନରେଶ ତୁମ ରାଜ୍ୟରେ କେବେ ଶାନ୍ତି ରହିବ ନାହିଁ।’ ତାଲିବାନ ପୁଣିଥରେ ଆଫଗାନ କବ୍ଜା କରିବା ପରେ ଗାନ୍ଧାରୀଙ୍କ ଏହି ଅଭିଶାପକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗାନ୍ଧାରୀଙ୍କ ଅଭିଶାପରୁ ଗାନ୍ଧାର ଏ ପର୍ଯ୍ୟନ୍ତ ମୁକ୍ତ ହୋଇନାହିଁ ବୋଲି ମନେକରଯାଉଛି। ପାଣ୍ଡବଙ୍କ ଠାରୁ ହାରିବା ପରେ କୌରବଙ୍କ ବଂଶଜ ଆଫଗାନିସ୍ତାନରେ ରହିଥିଲେ ବୋଲି କୁହାଯାଉଛି। ସେମାନେ ଶକୁନି ମାମୁଁଙ୍କ ପ୍ରଦେଶରେ ଶରଣ ନେଇଥିଲେ। ପରେ ଏଠାରୁ ଧିରେ ଧିରେ ଇରାକ ଏବଂ ସାଉଦି ଆରବରେ ଯାଇ ରହିଥିଲେ। ମହାଭାରତ କାଳ ଶେଷ ହେବାପରେ ଧିରେ ଧିରେ ବୌଦ୍ଧ ଧର୍ମର ପ୍ରଚାରପ୍ରସାର ହେବାରେ ଲାଗିଥିଲା। ଏସିଆର କିଛି ଭାଗରେ ମଧ୍ୟ ବୌଦ୍ଧଧର୍ମ ଦ୍ରୁତଗତିରେ ବ୍ୟାପିଥିଲା। ଭଗବାନ ଶିବଙ୍କ ପୂଜା ଏଠାରୁ ଧିରେ ଧିରେ ସମାପ୍ତ ହେବାକୁ ଲାଗିଲା ଏବଂ ଲୋକେ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ। ମୁସଲିମ ଶାସକଙ୍କ କବ୍ଜା ପୂର୍ବରୁ ଅନକ ମୌର୍ଯ୍ୟ ଶାସକ ଏଠାରେ ଶାସନ କରିଥିଲେ। ପରେ ୧୧ଶ ଶତାଦ୍ଦୀରେ ମହମ୍ମଦ ଗଜନଭି ଏହାକୁ ଅକ୍ତିଆର କରିଥିଲା। ଏଭଳି ଭାବରେ ଏହା ଗାନ୍ଧାରରୁ କାନ୍ଦାହାର ହୋଇଯାଇଥିଲା। ଏହା ଏବେ କାନ୍ଦାହାର ନାମକ ସହର ଭାବେ ପରିଚିତ ଲାଭ କରିଛି। ଐତିହାସିକ ପ୍ରମାଣ ଅନୁଯାୟୀ ସେତେବେଳର ଗାନ୍ଧାର ରାଜ୍ୟରେ ବର୍ତ୍ତମାନର ଉତ୍ତର ପାକିସ୍ତାନର କିଛି ଅଂଶ ସାମିଲ ଥିଲା। ଋଗବେଦ ବ୍ୟତୀତ ଉତ୍ତର ରାମାୟ ଏବଂ ମହାଭାରତରେ ଗାନ୍ଧାରର ଉଲ୍ଲେଖ ରହିଛି। ଗାନ୍ଧାରର ଅର୍ଥ ହେଲା ଗନ୍ଧ ଏବଂ ଗାନ୍ଧାରର ଅର୍ଥ ସୁଗନ୍ଧିତ ଜମି। ଏହି ନାମ ପଛରେ ଥିବା କାରଣ ହେଲା ଏଠାରେ କେସର ଚାଷ କରାଯାଏ। ପୌରାଣିକ ମାନ୍ୟତା ଅନୁଯାୟୀ ଭଗାବନ ଶିବଙ୍କ ଏକନାମ ହେଉଛି ଗାନ୍ଧାର। ଶିବ ସହସ୍ରନାମରେ ଏହାର ଉଲ୍ଲେଖ ରହିଛି। ଏଠାରେ ସର୍ବପ୍ରଥମେ ଭଗବାନ ଶିବଙ୍କ ଭକ୍ତ ରହୁଥିଲେ ବୋଲି କୁହାଯାଉଛି। ପ୍ରାଚୀନକାଳରେ ଉତ୍ତର-ପଶ୍ଚିମ ପଞ୍ଜାବର କିଛି ଅଂଶ ମଧ୍ୟ ଗାନ୍ଧାରରେ ସାମିଲ ଥିଲା।