ବଲିଉଡ ଅଭିନେତା ଇମ୍ରାନ ଖାନଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍, ଅକ୍ଟୋବର ୨୮ ସୁଦ୍ଧା ଦେଶ ଛାଡ଼ିବାକୁ ମୁମ୍ବାଇ ପୋଲିସର ନିର୍ଦ୍ଦେଶ

ବଲିଉଡ ସୁପରଷ୍ଟାର ଆମୀର ଖାନଙ୍କ ପୁତୁରା ତଥା ଅଭିନେତା ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ମୁମ୍ବାଇ ପୋଲିସ ପକ୍ଷରୁ ଇମ୍ରାନଙ୍କୁ ଏକ 'ଲିଭ୍ ଇଣ୍ଡିଆ ନୋଟିସ୍' (Leave India Notice) ଜାରି କରାଯାଇଛି, ଯେଉଁଥିରେ ତାଙ୍କୁ ଆସନ୍ତା ଅକ୍ଟୋବର ୨୮ ତାରିଖ ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ବିଦେଶୀ ନାଗରିକ ହୋଇ ମଧ୍ୟ ଭାରତରେ ରାଜନୈତିକ ବିକ୍ଷୋଭରେ ଅଂଶଗ୍ରହଣ କରିଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମୁମ୍ବାଇରେ ବିକ୍ଷୋଭ ପ୍ରଦର୍ଶନ କାରଣରୁ କାର୍ଯ୍ୟାନୁଷ୍ଠାନ

ଗତ ଅକ୍ଟୋବର ୧୦ ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନଠାରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କକରୋଚ୍ ଜନତା ପାର୍ଟି (CJP) ସମର୍ଥନରେ ଆୟୋଜିତ ଏହି ଆନ୍ଦୋଳନରେ ଇମ୍ରାନ ଖାନ ସାମିଲ ହୋଇଥିଲେ ଏବଂ ପୋଲିସ ଦ୍ୱାରା ଅଟକ ମଧ୍ୟ ହୋଇଥିଲେ। ପୋଲିସର ସୂଚନାନୁସାରେ, ଇମ୍ରାନ ଜଣେ ଆମେରିକୀୟ ନାଗରିକ ଏବଂ ତାଙ୍କ ପାଖରେ ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ (OCI) କାର୍ଡ ରହିଛି। ତେଣୁ ଇମିଗ୍ରେସନ୍ ଆଣ୍ଡ୍ ଫରେନର୍ସ ଆକ୍ଟ ଅନୁଯାୟୀ, ଜଣେ ବିଦେଶୀ ନାଗରିକ ଭାରତରେ କୌଣସି ରାଜନୈତିକ କାର୍ଯ୍ୟକଳାପ ବା ବିକ୍ଷୋଭରେ ଭାଗ ନେବା ବେଆଇନ ଅଟେ।

ବିଜେପି ନେତାଙ୍କ ଅଭିଯୋଗ ପରେ ଆକ୍ସନ ମୋଡରେ ପୋଲିସ

ଏହି ଘଟଣା ପରେ ପୂର୍ବତନ ବିଜେପି ସାଂସଦ କିରିଟ୍ ସୋମେୟା ଇମ୍ରାନଙ୍କ ବିରୋଧରେ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଜଣେ ବିଦେଶୀ ନାଗରିକ ହୋଇ ସେ କିପରି ଏକ ରାଜନୈତିକ ଆନ୍ଦୋଳନରେ ସାମିଲ ହେଲେ, ସେ ନେଇ ସୋମେୟା ପ୍ରଶ୍ନ ଉଠାଇବା ସହ ତାଙ୍କୁ ତୁରନ୍ତ ଗିରଫ କରିବା ଏବଂ ଦେଶରୁ ବିତାଡ଼ିତ କରିବା ପାଇଁ ଦାବି କରିଥିଲେ। ଏହାପରେ ମୁମ୍ବାଇ ପୋଲିସ ଇମିଗ୍ରେସନ୍ ଆକ୍ଟର ଧାରା ୨୯ ଏବଂ ୭ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍ ପଠାଇଛି।

ଇମ୍ରାନଙ୍କ ପ୍ରତିକ୍ରିୟା

ଅନ୍ୟପକ୍ଷରେ, ବିକ୍ଷୋଭ ସମୟରେ ଇମ୍ରାନ ଖାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ସେ କୌଣସି ନିର୍ଦ୍ଦିଷ୍ଟ ଦାବି ନେଇ ସେଠାକୁ ଯାଇନଥିଲେ। ମୁମ୍ବାଇର ଜଣେ ସାଧାରଣ ନାଗରିକ ହିସାବରେ ସେ କେବଳ ଏହା ଦେଖିବାକୁ ଯାଇଥିଲେ ଯେ ଲୋକଙ୍କ ସ୍ୱାଧୀନତା ଉପରେ କାହିଁକି କଟକଣା ଲଗାଯାଉଛି ଏବଂ ସେମାନଙ୍କ ସ୍ୱରକୁ କାହିଁକି ଚପାଇ ଦିଆଯାଉଛି। ପୋଲିସ ଦ୍ୱାରା ଅଟକ ହେବା ପରେ ସେ ପୋଲିସ ଭ୍ୟାନ୍ ଭିତରେ ବସିଥିବାର ଏକ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର କରିଥିଲେ ଏବଂ ଲେଖିଥିଲେ, "ବୋଧହୁଏ ମୁଁ ଡ୍ରାଇଭ୍‌ରେ ଯାଉଛି।"

About The Author: Suryakanta