ଗୁଜରାଟ: ଗୁଜରାଟର ଭରୁଚ୍ ଜିଲ୍ଲାରେ ଥିବା ଏକ ଔଷଧ ନିର୍ମାଣ କାରଖାନାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଅତିକମରେ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଭାଗ୍ରା ତାଲୁକା ଅନ୍ତର୍ଗତ ସାୟଖା ଜିଆଇଡିସି (GIDC) ଇଷ୍ଟେଟରେ ଥିବା ସିନ୍ଜିଲ୍ ଫାର୍ମାକେମ୍ (SynZeal Pharmachem) ଠାରେ ଏହି ବିସ୍ଫୋରଣ ହୋଇଥିଲା। ହାଇଡ୍ରୋଜେନେସନ୍ ପ୍ରକ୍ରିୟା ସମୟରେ ଏକ ୧୫ କିଲୋଲିଟର ରିଆକ୍ଟର ଫାଟିଯିବାରୁ ଏହି ଅଘଟଣ ଘଟିଥିଲା ସୂଚନା ମିଳିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, କାରଖାନାର ଯନ୍ତ୍ରପାତି ଏବଂ ଟିଣ ଛାତ ଛିନ୍ଛତ୍ର ହୋଇ ବାହାରେ ପଡ଼ିଥିଲା। ଏହା ସହିତ ମିଥାଇଲିନ୍ ଡାଇକ୍ଲୋରାଇଡ୍ (MDC) ଗ୍ୟାସ୍ ଲିକ୍ ହେବା କାରଣରୁ ପରିସ୍ଥିତି ଆହୁରି ସଙ୍ଗିନ ହୋଇପଡ଼ିଥିଲା ଏବଂ ଲୋକଙ୍କ ଆଖି ପୋଡ଼ିବା ଆରମ୍ଭ ହୋଇଥିଲା।
ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭରୁଚ୍ ଏବଂ ଭଦୋଦରା ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କ ଶବକୁ ଭରୁଚ୍ ସିଭିଲ୍ ହସ୍ପିଟାଲକୁ ପଠାଯାଇଛି। ମୃତକମାନଙ୍କ ମଧ୍ୟରେ ସିଫ୍ଟ ଇନ୍-ଚାର୍ଜ ଜୟଦୀପ ପଟେଲ (୨୭), ଅନିକେତକୁମାର ହରିକିଶୋର (୨୪), ଅର୍ଜୁନ ରାମସିଂହ ଗୌତମ (୨୦) ଏବଂ ବୃନ୍ଦ ତାଲାଭିଆ ଥିବା ଜଣାପଡ଼ିଛି। ପଞ୍ଚମ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଘଟଣାସ୍ଥଳରେ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି। ଅନ୍ୟପକ୍ଷରେ ଗୁଜରାଟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (GPCB) ଏବଂ ଶିଳ୍ପ ସୁରକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। କମ୍ପାନୀଟି ମାତ୍ର ବର୍ଷେ ତଳେ ୫୩ ଜଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଆରମ୍ଭ କରିଥିଲା। ଶିଳ୍ପ ସୁରକ୍ଷା ନିୟମର ଉଲ୍ଲଂଘନ ହୋଇଛି କି ନାହିଁ, ତାହାର ତଦନ୍ତ କରାଯାଉଛି ବୋଲି ଭରୁଚ୍ ଉପଜିଲ୍ଲାପାଳ ମନୀଷା ମନାନୀ ସୂଚନା ଦେଇଛନ୍ତି।