ୱାଶିଂଟନ: ସିନେଟ ନିର୍ବାଚନରେ ଟ୍ରମ୍ପଙ୍କ ଦଳର ପରାଜୟ । ବିରୋଧୀ ଡେମୋକ୍ରାଟିକକୁ ମିଳିଲା ବହୁମତ । ୨୦୨୬ ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ଡେମୋକ୍ରାଟିକ ପାର୍ଟି। ଏହି ବିଜୟ ସହ ଦଳ ଆମେରିକୀୟ ସେନେଟ ଓ ପ୍ରତିନିଧି ସଭା (House of Representatives) ଉପରେ ପୁଣି ଥରେ ନିୟନ୍ତ୍ରଣ ହାସଲ କରିଛି। ଏହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରିପବ୍ଲିକାନ ପାର୍ଟି ପାଇଁ ଏକ ବଡ଼ ରାଜନୈତିକ ଧକ୍କା ଭାବେ ବିବେଚନା କରାଯାଉଛି। ଦେଶରେ ବଢୁଥିବା ଦରଦାମ, ଟ୍ରମ୍ପଙ୍କ ଶୁଳ୍କ ନୀତି ଏବଂ ଇରାନ ସହ ଯୁଦ୍ଧ ଯୋଗୁଁ ବୃଦ୍ଧି ପାଇଥିବା ଇନ୍ଧନ ମୂଲ୍ୟକୁ ନେଇ ଭୋଟରଙ୍କ ମଧ୍ୟରେ ଥିବା ଅସନ୍ତୋଷ ଏହି ଫଳାଫଳର ମୁଖ୍ୟ କାରଣ ବୋଲି କୁହାଯାଉଛି।
ଏହି ନିର୍ବାଚନରେ ସମୁଦାୟ ୪୩୫ଟି ହାଉସ ଆସନ, ୩୭ଟି ସେନେଟ ଆସନ ଏବଂ ୩୬ଟି ଗଭର୍ଣ୍ଣର ପଦବୀ ପାଇଁ ମତଦାନ ହୋଇଥିଲା। ସିଏନ୍ଏନ୍ (CNN)ର ଭୋଟର ପୋଲ୍ ଅନୁଯାୟୀ, ଦେଶର ବର୍ତ୍ତମାନର ଗତିପଥ ଏବଂ ଅର୍ଥନୈତିକ ସ୍ଥିତିକୁ ନେଇ ସାଧାରଣ ଜନତା ଖୁସି ନାହାନ୍ତି। ବିଶେଷ କରି ୨୦୨୪ରେ ଟ୍ରମ୍ପଙ୍କୁ ସମର୍ଥନ କରିଥିବା ପାଞ୍ଚ ଭାଗରୁ ଜଣେ ଭୋଟର ଏବେ ତାଙ୍କ କାର୍ଯ୍ୟଦକ୍ଷତା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
କଂଗ୍ରେସର ଉଭୟ ସଦନରେ ଡେମୋକ୍ରାଟ୍ସଙ୍କ ପ୍ରାଧାନ୍ୟ ବଢିବା ପରେ ଏବେ 'ଭିଟୋ' (Veto) ଶବ୍ବକୁ ନେଇ ଚର୍ଚ୍ଚା ଜୋର ଧରିଛି। ଫକ୍ସ ନ୍ୟୁଜ ସହ ଆଲୋଚନା କରି ଟ୍ରମ୍ପ କହିଛନ୍ତି ଯେ, "ମୋ ପାଖରେ ଭିଟୋ କ୍ଷମତା ଅଛି, ଯାହା ଜଣେ ରାଷ୍ଟ୍ରପତିଙ୍କ ସବୁଠାରୁ ବଡ଼ ଶକ୍ତି। ସେମାନେ ଯଦି କିଛି ଅଯୌକ୍ତିକ ଜିନିଷ ପଠାନ୍ତି, ତେବେ ମୁଁ ସେଥିରେ ଭିଟୋ ପ୍ରୟୋଗ କରିବି।" ଏହି ସମୟରେ ଟ୍ରମ୍ପ ନିଜର ଏକ 'ମାଗା' (MAGA) ଟୋପିର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି, ଯେଉଁଥିରେ 'ଭିଟୋ' ଶବ୍ଦ ଉଲ୍ଲେଖ ରହିଛି।
ପରାଜୟକୁ ସ୍ୱୀକାର କରିଥିଲେ ମଧ୍ୟ ଟ୍ରମ୍ପ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ କରିନାହାନ୍ତି। ଟ୍ରୁଥ୍ ସୋସିଆଲରେ ସେ ଲେଖିଛନ୍ତି ଯେ, "ଏହି ନିର୍ବାଚନ ବାଲଟରେ ମୁଁ ନଥିଲି, ଯଦି ମୁଁ ପ୍ରାର୍ଥୀ ହୋଇଥାନ୍ତି ତେବେ ରିପବ୍ଲିକାନ ମାନେ ବିପୁଳ ବିଜୟ ହାସଲ କରିଥାନ୍ତେ।" ତଥାପି, ନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ସେ ନିର୍ବାଚନ ଫଳାଫଳକୁ ଗ୍ରହଣ କରିବେ ଏବଂ ଡେମୋକ୍ରାଟ୍ସଙ୍କ ସହ ମିଶି କାମ କରିବାକୁ ପ୍ରସ୍ତୁତ ଅଛନ୍ତି।