ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ପାଇବେ ହେନେରୀ ବି କାଗନ ଓ କେନ୍ସୋ ସୋଆଇ

ନୂଆଦିଲ୍ଲୀ: ଅସିମେଟ୍ରିକ୍ ଅର୍ଗାନିକ୍ ସିନ୍ଥେସିସ୍ କ୍ଷେତ୍ରରେ ନନ୍-ଲିନିୟର୍ ଇଫେକ୍ଟ ଏବଂ ଅଟୋକାଟାଲିସିସ୍ ଆବିଷ୍କାର ପାଇଁ ଫରାସୀ ରସାୟନବିତ୍ ହେନେରି ବି କାଗାନ୍ ଏବଂ ଜାପାନୀ ରସାୟନବିତ୍ କେନ୍ସୋ ସୋଆଇଙ୍କୁ ୨୦୨୬ ମସିହାର ରସାୟନ ବିଜ୍ଞାନ ନୋବେଲ୍ ପୁରସ୍କାର ପ୍ରଦାନ କରାଯିବ। ବୁଧବାର ଦିନ ଦ ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ଏହି ଘୋଷଣା କରାଯାଇଛି।

ପ୍ରକୃତିରେ ଅଣୁଗୁଡ଼ିକ କିପରି ସେମାନଙ୍କର ପ୍ରତିଛବି (ମିରର୍ ଇମେଜ୍) ରୂପରେ ବିକଶିତ ହୁଅନ୍ତି, ସେହି ବହୁ ପ୍ରତୀକ୍ଷିତ ଏବଂ ଶତାବ୍ଦୀର ପୁରୁଣା ରହସ୍ୟ ସମାଧାନ କରିଥିବାରୁ ଏହି ଦୁଇ ବୈଜ୍ଞାନିକଙ୍କୁ ସମ୍ମାନିତ କରାଯାଇଛି। ଆମିନୋ ଏସିଡ୍ ଭଳି ଅନେକ ଅଣୁ ଦୁଇଟି ପ୍ରତିଛବି ରୂପରେ ବିଦ୍ୟମାନ। ଏଗୁଡ଼ିକ ରାସାୟନିକ ଦୃଷ୍ଟିକୋଣରୁ ସମାନ ହୋଇଥିଲେ ମଧ୍ୟ, ଜୀବଜଗତ କେବଳ ଗୋଟିଏ ରୂପକୁ ବ୍ୟବହାର କରେ। ଦୀର୍ଘ ଦଶନ୍ଧି ଧରି ବୈଜ୍ଞାନିକମାନେ ଏହି ପସନ୍ଦର କାରଣ ଖୋଜୁଥିଲେ। ଏହି ଆବିଷ୍କାର ପାଇଁ ଉଭୟଙ୍କୁ ୧୨ ନିୟୁତ ସ୍ୱିଡିସ୍ କ୍ରୋନର୍ ପ୍ରଦାନ କରାଯିବ, ଯାହା ଉଭୟଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଯିବ।

ନୋବେଲ କମିଟି ଅନୁଯାୟୀ, ଗବେଷଣାଗାରରେ ପୂର୍ବରୁ ଉଭୟ ପ୍ରତିଛବି ଅଣୁର ସମାନ ପରିମାଣ ମିଳୁଥିଲା। କିନ୍ତୁ କାଗାନ୍ ଏବଂ ସୋଆଇ ପ୍ରମାଣିତ କରିଥିଲେ ଯେ ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ କେବଳ ଗୋଟିଏ ପ୍ରତିଛବିର ଅଧିକ ବା ସମ୍ପୂର୍ଣ୍ଣ ଉତ୍ପାଦନ କରାଯାଇପାରିବ। ୧୯୮୬ ମସିହାରେ କାଗାନ୍ ଏହି ପ୍ରକ୍ରିୟାରେ ପ୍ରଥମ ସଫଳତା ପାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ଗବେଷଣା ଉପରେ ଆଧାର କରି ୧୯୯୫ ଏବଂ ୨୦୦୩ ରେ ସୋଆଇ ଏକ ଯୁଗାନ୍ତକାରୀ ପ୍ରତିକ୍ରିୟା ପ୍ରଦର୍ଶନ କରିଥିଲେ, ଯେଉଁଥିରେ କେବଳ ଗୋଟିଏ ପ୍ରତିଛବି ପ୍ରସ୍ତୁତ ହୋଇପାରିଥିଲା। ଏହି ଉଦ୍ଭାବନ ଆଧୁନିକ ରସାୟନ ବିଜ୍ଞାନ, ବିଶେଷକରି ଔଷଧ ପ୍ରସ୍ତୁତି କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିଛି।

ରସାୟନବିତ୍ ହେନେରି ବି କାଗାନ୍ ୧୯୩୦ ମସିହାରେ ଫ୍ରାନ୍ସର ବୌଲୋନ୍-ବିଲାନ୍‌କୋର୍ଟରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୬୦ ମସିହାରେ କଲେଜ୍ ଡି ଫ୍ରାନ୍ସରୁ ପିଏଚଡି ହାସଲ କରିଥିଲେ ଏବଂ ବର୍ତ୍ତମାନ ୟୁନିଭରସିଟି ପ୍ୟାରିସ୍-ସୁଡ୍‌ରେ ପ୍ରଫେସର ଏମେରିଟସ୍ ଅଛନ୍ତି। ସେହିପରି କେନ୍ସୋ ସୋଆଇ ୧୯୫୦ ମସିହାରେ ଜାପାନର ହିରୋସିମାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୯ ମସିହାରେ ଟୋକିଓ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିବା ସହ ବର୍ତ୍ତମାନ ଟୋକିଓ ବିଶ୍ୱବିଦ୍ୟାଳୟ ଅଫ୍ ସାଇନ୍ସରେ ପ୍ରଫେସର ଏମେରିଟସ୍ ଭାବରେ କାର୍ଯ୍ୟରତ ଅଛନ୍ତି।

About The Author: Madhusudan Das