ଶ୍ରୀନଗର : ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ। ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ୩ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । କୋକରାନାଗର ଗାଗରମାଣ୍ଡୁ ଜଙ୍ଗଲରେ ଗୁଳିବିନିମୟ ଜାରି ରହିଛି । ଆହତ ଯବାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଅଞ୍ଚଳକୁ ଘେରାବନ୍ଦୀ କରି ଘଞ୍ଚ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, କୋକେରନାଗ ସବଡିଭିଜନରେ ଥିବା ଗାଗରମାଣ୍ଡୁ ଜଙ୍ଗଲରେ କିଛି ଆତଙ୍କବାଦୀ ଥିବା ସୂଚନା ମିଳିଥିଲା। ଏହାପରେ ଭାରତୀୟ ସ୍ଥଳ ସେନା, ଜମ୍ମୁ-କଶ୍ମୀର ପୁଲିସ୍ ଓ ସିଆରପିଏଫ ଯବାନଙ୍କ ପକ୍ଷରୁ ଆତଙ୍କବାଦ ନିରୋଧ ଅପରେସନ ଆରମ୍ଭ ହୋଇଥିଲା। ଅପରେସନ ଚାଲିଥିବା ବେଳେ ଟିମ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ତେବେ ଆତଙ୍କୀଙ୍କ ଗୁଳି ମାଡ଼ରେ ୨ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଏନକାଉଣ୍ଟର ସ୍ଥଳରୁ ଉଦ୍ଧାର କରି ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ଗାଗରମାଣ୍ଡୁ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।