ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତାହକୁ ୨ ଦିନ ୱାର୍କ-ଫ୍ରମ୍-ହୋମ୍, ବିଦେଶ ଗସ୍ତ ଉପରେ କଟକଣା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଗୁରୁବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି। ଆମେରିକା-ଇରାନ ଯୁଦ୍ଧ କାରଣରୁ ସୃଷ୍ଟି ହୋଇଥିବା ଇନ୍ଧନ ସଙ୍କଟ ଏବଂ ଆର୍ଥିକ ପ୍ରଭାବକୁ ମୁକାବିଲା କରିବା ପାଇଁ ସେ 'ମେରା ଭାରତ, ମେରା ଯୋଗଦାନ' ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ଅଧୀନରେ ସରକାରୀ କାର୍ଯ୍ୟାଳୟରେ ସପ୍ତାହକୁ ଦୁଇ ଦିନ ଘରୁ କାମ କରିବା (ୱାର୍କ-ଫ୍ରମ୍-ହୋମ୍), ଅଫିସ୍ ସମୟ ପରିବର୍ତ୍ତନ ଏବଂ ଆସନ୍ତା ବର୍ଷେ ପାଇଁ ସରକାରୀ ଅଧିକାରୀଙ୍କ ବିଦେଶ ଗସ୍ତ ଉପରେ କଟକଣା ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇନ୍ଧନ ସଂରକ୍ଷଣ ଏବଂ ବୈଦେଶିକ ମୁଦ୍ରା ବିନିମୟ ହ୍ରାସ କରିବା ଆହ୍ୱାନ ପରେ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ସରକାରୀ ଯୋଜନା ଅନୁଯାୟୀ, ଘରୋଇ କମ୍ପାନୀଗୁଡ଼ିକୁ ସେମାନଙ୍କ କର୍ମଚାରୀଙ୍କ ପାଇଁ ସପ୍ତାହକୁ ୨ ଦିନ ୱାର୍କ-ଫ୍ରମ୍-ହୋମ୍ ବ୍ୟବସ୍ଥା ଲାଗୁ କରିବାକୁ ପରାମର୍ଶ ଦିଆଯିବ। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ସମାନ ବ୍ୟବସ୍ଥା ଗ୍ରହଣ କରାଯିବ ଏବଂ ଶ୍ରମ ବିଭାଗ ଏହାର ତଦାରଖ କରିବ। ଏହା ସହିତ ଟ୍ରାଫିକ୍ ସମସ୍ୟା ଏବଂ ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ କେନ୍ଦ୍ର, ଦିଲ୍ଲୀ ଏବଂ ପୌରସଂସ୍ଥା ଅଫିସ୍ ସମୟରେ ପରିବର୍ତ୍ତନ କରାଯିବ।

ଅନ୍ୟ ଏକ ପ୍ରମୁଖ ନିଷ୍ପତ୍ତି କ୍ରମେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଏବଂ ଅଧିକାରୀମାନେ ଆସନ୍ତା ଏକ ବର୍ଷ ପାଇଁ କୌଣସି ସରକାରୀ ବିଦେଶ ଗସ୍ତ କରିବେ ନାହିଁ। ଖର୍ଚ୍ଚ କାଟ୍ ଉଦ୍ଦେଶ୍ୟରେ ଆସନ୍ତା ୩ ମାସ ପାଇଁ ସରକାର କୌଣସି ବଡ଼ ସାର୍ବଜନୀନ କାର୍ଯ୍ୟକ୍ରମ ବା ସମ୍ମିଳନୀ ଆୟୋଜନ କରିବେ ନାହିଁ। ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ସରକାରୀ ଗାଡ଼ିର ବ୍ୟବହାର କମ୍ କରି ପବ୍ଲିକ୍ ଟ୍ରାନ୍ସପୋର୍ଟ କିମ୍ବା କାର୍-ପୁଲିଂ ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନକୁ ସମର୍ଥନ କରି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନାଗରିକମାନଙ୍କୁ ସପ୍ତାହରେ ଗୋଟିଏ ଦିନ 'ନୋ ଭେଇକିଲ୍ ଡେ' ପାଳନ କରିବାକୁ ନିବେଦନ କରିଛନ୍ତି। ସରକାର ଆସନ୍ତା ୬ ମାସ ପାଇଁ ପେଟ୍ରୋଲ, ଡିଜେଲ, ସିଏନଜି ଏବଂ ହାଇବ୍ରିଡ୍ ଗାଡ଼ି କିଣିବା ଉପରେ ରୋକ୍ ଲଗାଇଛନ୍ତି। ସରକାରୀ ଅଧିକାରୀ ଏବଂ ମନ୍ତ୍ରୀମାନେ ସୋମବାର ଦିନ ମେଟ୍ରୋରେ ଯାତ୍ରା କରିବେ ବୋଲି ନିଷ୍ପତ୍ତି ହୋଇଛି। ଯଦି କର୍ମଚାରୀମାନେ ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର କରନ୍ତି, ତେବେ ସେମାନଙ୍କ ପରିବହନ ଭତ୍ତା ବୃଦ୍ଧି କରାଯିବା ନେଇ ମଧ୍ୟ ସରକାର ବିଚାର କରୁଛନ୍ତି। ବିଦ୍ୟୁତ୍ ସଂରକ୍ଷଣ ପାଇଁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଏସି ତାପମାତ୍ରା ୨୪°C ରୁ ୨୬°C ମଧ୍ୟରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଅଭିଯାନ ମାଧ୍ୟମରେ ଦେଶୀ ଉତ୍ପାଦ ଏବଂ ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯିବ। ମଲ୍ ଏବଂ ସୁପରମାର୍କେଟରେ 'ମେଡ୍ ଇନ୍ ଇଣ୍ଡିଆ' ଉତ୍ପାଦ ପାଇଁ ସ୍ୱତନ୍ତ୍ର ବିଭାଗ ରଖିବା ସହ ସରକାରୀ କ୍ରୟ କ୍ଷେତ୍ରରେ ଭାରତୀୟ ସାମଗ୍ରୀକୁ ପ୍ରାଥମିକତା ଦିଆଯିବ।

ଫେବୃଆରୀ ୨୮ ତାରିଖରୁ ଆରମ୍ଭ ହୋଇଥିବା ଯୁଦ୍ଧ କାରଣରୁ ହର୍ମୁଜ୍ ପ୍ରଣାଳୀ ଦେଇ ବିଶ୍ୱବ୍ୟାପୀ ତୈଳ ପରିବହନ ବାଧାପ୍ରାପ୍ତ ହୋଇଛି, ଯାହା ଏକ ବଡ଼ ଶକ୍ତି ସଙ୍କଟର ଆଶଙ୍କା ସୃଷ୍ଟି କରିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପିଡବ୍ଲ୍ୟୁଡି (PWD), ଦିଲ୍ଲୀ ଜଳ ବୋର୍ଡ ଏବଂ ବନ୍ୟା ନିୟନ୍ତ୍ରଣ ବିଭାଗ ଭର୍ଚୁଆଲ୍ ବୈଠକ ଏବଂ ଇଲେକ୍ଟ୍ରିକ୍ ଗାଡ଼ିର ବ୍ୟବହାରକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।

About The Author: Madhusudan Das